ଓଡ଼ିଶା

ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ତ୍ରୁଟି ନାହିଁ, କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଜାରି ଅଧ୍ୟାଦେଶରେ କୌଣସି ତ୍ରୁଟି ନାହିଁ । ମନ୍ଦିରର ପରିଚାଳନା ଓ ଦେଖାରଖାକୁ ସୁବ୍ୟବସ୍ଥିତ କରିବା ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ । ଏଥିରେ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କେନ୍ଦ୍ରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କେନ୍ଦ୍ର ସରକାରଙ୍କ ଆମସାର ଆକ୍ଟ-୧୯୫୮ ଓ ଏଏଟି ଆକ୍ଟ-୧୯୭୨ର ବିରୋଧାଚରଣ କରୁଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଓ ଦେଖାରଖାକୁ ସୁବ୍ୟବସ୍ଥିତ କରିବା ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ ଭଳି ଲିଙ୍ଗରାଜ ମନ୍ଦର ଅଧ୍ୟାଦେଶରେ ମଧ୍ୟ ସେହିଭଳି ପ୍ରାବଧାନ ରହିଛି । ତେଣୁ ଏହାକୁ ଅନୁମତି ଦେବାଲାଗି ଓଡ଼ିଶା ସରକାର ଯୁକ୍ତି ବାଢିଛନ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟର ସମସ୍ତ ମନ୍ଦିର ଦାୟିତ୍ବ କଥା ବୁଝୁଥିବା ଦେବୋତ୍ତର କମିଶନଙ୍କ ବୋଝ କମିବ । ବିଧାନସଭା ଦ୍ବାରା ଅଧ୍ୟାଦେଶ ପାରିତ ହୋଇଥିବା ବେଳେ, ଏଥିରେ ପ୍ରତ୍ୟେକ ଦିଗକୁ ଗୁରୁତ୍ବ ଦିଆଯାଇଥିବାରୁ ଆମସାର ଆଇନର ଉଲ୍ଲଂଘନ ହୋଇନଥିବା ଚିଠିରେ ସ୍ପଷ୍ଟ କରାଯାଇଛି । ଉଠା ଦୋକାନୀଙ୍କ ଥଇଥାନ ପାଇଁ ଜଗନ୍ନାଥ ମନ୍ଦିର ପରିସର ଭଳି ଏକାମ୍ର କ୍ଷେତ୍ର ପ୍ରକଳ୍ପ ଯୋଜନାରେ ସାମିଲ କରାଯାଇଛି । ସେହିପରି ପୁରାତନ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ଥିବା ଜାତୀୟ ନୀତି ଅନୁସାରେ ହିଁ ପ୍ରକଳ୍ପର ଡିଜାଇନ୍ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Related Articles

Back to top button
WP Twitter Auto Publish Powered By : XYZScripts.com