ଓଡ଼ିଶା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୦୭/୦୨/୨୦୨୩ –   ଫେବୃଆରୀ ୧୦ ଓ ୧୧ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ କମିସନରେଟ୍‌‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରଠାରୁ, କାର୍ଯ୍ୟକ୍ରମ ସ୍ଥଳକୁ ଯିବା, ରାଜଭବନରେ ରାତି ରହଣୀ, ଲିଙ୍ଗରାଜ ମନ୍ଦିର ଦର୍ଶନ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି ।

ଭୁବନେଶ୍ୱରରେ ଦୁଇଟି ଓ କଟକରେ ଗୋଟିଏ ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଭୁବନେଶ୍ୱରରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର କାର୍ଯ୍ୟକ୍ରମ ସହ ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି କଟକର CRRIରେ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ଏଥିସହ ୧୧ତାରିଖ ଦିନ ସକାଳୁ ରାଷ୍ଟ୍ରପତିଙ୍କ ମହାପ୍ରଭୁ ଲିଙ୍ଗରାଜ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ମଙ୍ଗଳବାର ପୂର୍ବାହ୍ଣରେ ରାଷ୍ଟ୍ରପତିଙ୍କ ଦାୟିତ୍ୱରେ ଥିବା ସୁରକ୍ଷାଦଳ ରାଷ୍ଟ୍ରପତିଙ୍କ ଗସ୍ତସ୍ଥଳ ବୁଲିବା ପରେ ପୁଲିସ ସହ ଆଲୋଚନା କରିବେ । ପରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ବିଷୟରେ ବନ୍ଦୋବସ୍ତ କରାଯିବ । ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ବ୍ଲୁ ବୁକ ଅନୁସାରେ ସୁରକ୍ଷା ଆୟୋଜନ ହୋଇଥାଏ । ଏଣୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି ଗ୍ରହଣ କରାଯିବ। ଆବଶ୍ୟକତା ଅନୁସାରେ ପୁଲିସ ଫୋର୍ସ ମୁତୟନ କରାଯିବ।

୧୦ତାରିଖ ଅପରାହ୍ଣରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଉକ୍ତ ଉତ୍ସବରେ ରାଷ୍ଟ୍ରପତିଙ୍କ ଘଣ୍ଟାଏ ବିତାଇବେ। ପରେ ୧୦ମିନିଟ ଲାଗି ପୁରାତନ ଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସମୟରେ ପାଠ ପଢ଼଼ୁଥିବା ନିଜର ୩୦ଜଣ ସହପାଠୀଙ୍କୁ ଭେଟିବାର ତାଲିକା ପ୍ରସ୍ତୁତ ହୋଇଛି। ମାତ୍ର ରାଷ୍ଟ୍ରପତି ଭବନରୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com