କ୍ରୀଡ଼ା

ଆଇପିଏଲର ସିଧା ପ୍ରସାରଣ ଅଧିକାର ପାଇଁ ୪୪,୦୭୫ କୋଟିର ଡିଲ୍‌

ନୂଆଦିଲ୍ଲୀ: ଫାଟଫଟ କ୍ରିକେଟର କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ନେଇ ସାରା ବିଶ୍ୱରେ କ୍ରିକେଟ ପ୍ରେମୀମାନେ ବେଶ ଉତ୍ସାହିତ। ମ୍ୟାଚ୍‌ ଗୁଡ଼ିକୁ ସମସ୍ତେ ଉପଭୋ କରିବାକୁ ମଧ୍ୟ ଚାହାନ୍ତି। ୫ ବର୍ଷ ହେଲାଣି ଷ୍ଟାର ସ୍ପୋର୍ଟସ ହିଁ ଆଇପିଏଲର ପ୍ରସାରଣ ଅଧିକାର ବା ମିଡିଆ ରାଇଟ୍ସ ଅଧିକାର କରିଛି।

ଏହି ସମୟ ସୀମା ଶେଷ ହେବା ପରେ ଆଜି ଆଗାମୀ ୫ ବର୍ଷ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଆଇପିଏଲର ପ୍ରସାରଣ ଅଧିକାର ଡିଲ୍‌ ୪୪,୦୭୫ କୋଟି ଟଙ୍କାରେ ଚୂଡ଼ାନ୍ତ ହୋଇଛି। ଦୁଇଟି ବ୍ରଡକାଷ୍ଟର ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ପାଇଛନ୍ତି। ପୂର୍ବରୁ ଷ୍ଟାରସ୍ପୋର୍ଟସ ଉଭୟ ଟିଭି ଓ ଡିଜିଟାଲରେ ଆଇପିଏଲ ମ୍ୟାଚ୍‌ଗୁଡ଼ିକ ପ୍ରସାରଣ କରିବାର ଅଧିକାର ପାଇଥିଲା। ହେଲେ ଏବେ ଗୋଟିଏ ସଂସ୍ଥା ଟିଭିରେ ମ୍ୟାଚ୍‌ର ପ୍ରସାରଣ ଅଧିକାର ପାଇଥିବା ବେଳେ ଆଉ ଗୋଟିଏ ସଂସ୍ଥା ଡିଜିଟାଲ ପ୍ରସାରଣର ମାନ୍ୟତା ପାଇଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆଇପିଏଲର ସିଧାପ୍ରସାରଣ ପାଇଁ ପ୍ୟାକେଜ ଏ(ଟିଭି ଅଧିକାର) ଓ ପ୍ୟାକେଜ ବି(ଡିଜିଟାଲ ଅଧିକାର)ର ବ୍ୟବସ୍ଥା ହୋଇଥିଲା। ଦୁଇଟି ଯାକ ପ୍ୟାକେଜକୁ ମୋଟ ୪୪, ୦୭୫ କୋଟି ଟଙ୍କାରେ ବିକ୍ରି କରାଯାଇଛି। ଦୁଇଟି ସଂସ୍ଥା ୨୦୨୩ରୁ ୨୦୨୭ ଯାଏ ଆଇପିଏଲର ସିଧାପ୍ରସାରଣ ପାଇଁ ଅଧିକାର ପାଇଛନ୍ତି।

ଏହାର ଅର୍ଥ ଗୋଟିଏ ଆଇପିଏଲ ମ୍ୟାଚ୍‌ର ସିଧାପ୍ରସାରଣର ଦାମ ୧୦୦ କୋଟିରୁ ଅଧିକ, ଯାହାକି ଭାରତୀୟ କ୍ରୀଡ଼ା ଜଗତରେ ଏକ ବିରଳ ଘଟଣା। ପ୍ରତି ଆଇପିଏଲ ମ୍ୟାଚ୍‌ର ଦାମ ୧୦୭.୫ କୋଟି ଟଙ୍କା ହୋଇଛି।

ଟିଭିରେ ସିଧାପ୍ରସାରଣ ଅଧିକାରକୁ ୨୩,୫୭୫ କୋଟି ଟଙ୍କାରେ ବିକ୍ରି କରାଯାଇଛି। ସେହିପରି ଡିଜିଟାଲ ପ୍ରସାରଣର ଅଧିକାର ୨୦,୫୦୦ କୋଟିରେ ନିଲାମ ହୋଇଛି। ଟିଭିରେ ଗୋଟିଏ ମ୍ୟାଚ୍‌ର ସିଧାପ୍ରସାଣର ଅଧିକାର ୫୭.୫ କୋଟି ଓ ଡିଜିଟାଲରେ ଗୋଟିଏ ମ୍ୟାଚ୍‌ର ସିଧାପ୍ରସାରଣ ଅଧିକାରକୁ ୫୦ କୋଟି ଟଙ୍କାରେ ବିକ୍ରି କରାଯାଇଛି। କେଉଁ ଦୁଇ ବ୍ରଡକାଷ୍ଟର ଏତେ ପରିମାଣର ଟଙ୍କା ଦେଇ ଆଇପିଏଲର ପ୍ରସାରଣ ଅଧିକାର ପାଇଛନ୍ତି, ସେକଥା ଏଯାଏ ଜଣାପଡ଼ିନି।

୨୦୧୭ରୁ ୨୦୨୨ ଯାଏ ଷ୍ଟାର ଇଣ୍ଡିଆ ପାଖରେ ଆଇପିଏଲର ପ୍ରସାରଣ ଅଧିକାର ରହିଥିଲା। ଏହି ସଂସ୍ଥା ସୋନି ପିକଚର୍ସକୁ ପଛରେ ପକାଇ ୫ ବର୍ଷ ପାଇଁ ୧୬,୩୭୪.୫୦ କୋଟି ଟଙ୍କାରେ ନିଲାମ ହାସଲ କରିଥିଲା। ହେଲେ ଏବେ ଏହାର ମୂଲ୍ୟ ଢେର ଅଧିକ ହୋଇ ଯାଇଛି।

ଏହାପୂର୍ବରୁ ୨୦୦୮ରେ ସୋନି ପିକଚର୍ସ ୧୦ ବର୍ଷ ପାଇଁ ଆଇପିଏଲର ସିଧାପ୍ରସାରଣ ଅଧିକାର ମାତ୍ର ୮,୨୦୦ କୋଟି ଟଙ୍କାରେ ହାସଲ କରିଥିଲା। ଏବେ ୫ ବର୍ଷ ମଧ୍ୟରେ ୪୧୦ଟି ମ୍ୟାଚ୍‌ର ସିଧାପ୍ରସାରଣ ପାଇଁ ୪୪ ହଜାର କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com