ଜାତୀୟ

ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ଲାଗି ଉଭୟ ପାର୍ଟି ଓ ପଦବୀରୁ ଇସ୍ତଫା ଦେଲେ ବିଜେପି କର୍ପୋରେଟର, ଜାଣନ୍ତୁ କେଉଁଠି ?

କୋଟା: ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ବୟାନ ବିରୋଧରେ ରାଜସ୍ଥାନ କୋଟାରେ ବିଜେପିର ଜନୈକା ମୁସ୍ଲିମ କର୍ପୋରେଟର ଉଭୟ ପଦ ଓ ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ପାର୍ଟି ଏପରି ବୟାନ ଲାଗି ନୂପୁର ଶର୍ମାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାଥିଲା। ଯାହା ଦ୍ୱାରା ଦେଶକୁ ସାମ୍ପ୍ରଦାୟିକ ସଦଭାବର ବାର୍ତ୍ତା ଯାଇଥାନ୍ତା। ହେଲେ ଦଳ ଏପରି କିଛି ପଦକ୍ଷେପ ନେଇ ନଥିବାରୁ ସେ ଇସ୍ତଫା ଦେଉଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କୋଟା ନଗରନିଗମ ୱାର୍ଡ ନମ୍ବର ୧୪ର ବିଜେପି କର୍ପୋରେଟର ତବସୁମ ମିର୍ଜା ବିଜେପିର ପ୍ରାଥମିକ ସଦସ୍ୟତା ତ୍ୟାଗ କରିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ସହର ବିଜେପି ଜିଲ୍ଲାଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି। ତବସୁମ କହିଛନ୍ତି ଯେ ଗତ ୨୨ ବର୍ଷରେ ୧୪ ନମ୍ବର ୱାର୍ଡରୁ ବିଜେପି ପାର୍ଟି କେବେ ଜିତି ନାହିଁ। ହେଲେ ବର୍ଷ ବର୍ଷ ଧରି ପାର୍ଟି ପାଇଁ କାମ କରି ସେ ଏଠାରେ ପଦ୍ମ ଫୁଟାଇଥିଲେ। ତେବେ ନୂପୁର ଶର୍ମା  ଯେଉଁପରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଏହା କଦାପି ସହିବା ଯୋଗ୍ୟ ନୁହେଁ।

ପାର୍ଟି ପ୍ରାୟ ୧୦ ଦିନ ପରେ କାର୍ଯ୍ୟାନୁଷ୍ଠାନ କଲା ଯାହା ଆଦୌ ଠିକେ ନୁହେଁ ବୋଲି ସେ କହିଛନ୍ତି। ତବସୁମ ଏବେ ବିଜେପିର ତୀବ୍ର ବିରୋଧ କରିବେ ବୋଲି କହିଛନ୍ତି। ନୂପୁରଙ୍କ ବୟାନ ପରେ ଆଜି ଦେଶର ପରିସ୍ଥିତି କଣ ତାହା ସମସ୍ତଙ୍କ ସାମ୍ନାରେ। ଯେଉଁ ପାର୍ଟି ଲାଗି ସେ ଏତେ ଦୀର୍ଘ ସମୟ ହେଲା କାର୍ଯ୍ୟ କରି ଆସୁଛନ୍ତି ଆଜି ସେହି ପାର୍ଟିଯୋଗୁ ଦେଶରେ ଅରାଜକତା ଉପୁଜିଛି। ଏହା ଛଡା ସଂଖ୍ୟାଲଘୁଙ୍କ ବିରୋଧରେ ଲଗାତାର ବୟାନବାଜୀ ହେଉଛି। ଏଣୁ ସେ କର୍ପୋରେଟର ପଦବୀ ସହିତ ପାର୍ଟିର ପ୍ରାଥମିକ ସଦସ୍ୟତା ମଧ୍ୟ ତ୍ୟାଗ କରିଥିବା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com