ରାଞ୍ଚୀ: ସ୍ୱତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାର ଲାଲୁ ଯାଦବଙ୍କୁ ପାସପୋର୍ଟ ରିଲିଜ କରିବା ପାଇଁ ଅନୁମତି ଦେଇଛନ୍ତି। ଜାମିନ ସର୍ତ୍ତରେ ଜମା କରାଯାଇଥିବା ପାସପୋର୍ଟ ରିନୁୱାଲ ଲାଗି ଫେରସ୍ତ କରିଦିଆଯାଇଛି। ପ୍ରାୟ ଅସୁସ୍ଥ ରହୁଥିବା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଜାତୀୟ ସଭାପତି ପାସପୋର୍ଟ ରିଲିଜ କରିବା ପାଇଁ କୋର୍ଟଙ୍କୁ ଆବେଦନ କରିଥିଲେ। ଲାଲୁଙ୍କ ଓକିଲ ପ୍ରଭାତ କୁମାର ପାସପୋର୍ଟ ରିଲିଜ ପାଇଁ କୋର୍ଟ ଅନୁମତି ଦେଇଥିବା କହିଛନ୍ତି। ପାସପୋର୍ଟ ମିଳିବା ପରେ ମହକିଲ ଏହାକୁ ନବୀକରଣ ଲାଗି ଦାଖଲ କରିବେ। ରିନ୍ୟୁ କରିବା ପରେ ପାସପୋର୍ଟକୁ ପୁଣି କୋର୍ଟରେ ଡିପୋଜିଟ କରିବୁ ବୋଲି ସେ କହିଛନ୍ତି। ଲାଲୁଙ୍କ ପାସପୋର୍ଟ ଲାପସ୍ ହେବାର ଥିଲା। ଏଣୁ ନବିକରଣ ଲାଗି ପାସପୋର୍ଟ ଫେରସ୍ତ କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲୁ। ଏହାକୁ ରିନ୍ୟୁ କରିବା ଜରୁରୀ, ନଚେତ ବିଦେଶରେ ଚିକିତ୍ସା ନିମନ୍ତେ ଆପଏଣ୍ଟମେଣ୍ଟ ମିଳିବ ନାହିଁ। ବିଦେଶରେ ଚିକିତ୍ସା ଲାଗି ଆପଏଣ୍ଟମେଣ୍ଟ ମିଳିବା ପରେ ଆମେ ପୁଣି ପାସପୋର୍ଟ ଲାଗି କୋର୍ଟଙ୍କୁ ନିବେଦନ କରିବୁ ବୋଲି ପ୍ରଭାତ କୁମାର କହିଛନ୍ତି। ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବ ଜକୃତ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି। ଭବିଷ୍ୟତରେ ତାଙ୍କୁ ଚିକିତ୍ସା ନିମନ୍ତେ ଶିଙ୍ଗାପୁର ଯିବାକୁ ପଡିପାରେ। ଏଣୁ ଉପଯୁକ୍ତ ସମୟରେ ପାସ୍ପୋର୍ଟ ନବୀକରଣ କରିବାକୁ ମିଳିଯାଇଥିବାରୁ ନବୀକରଣ ପରେ ଚିକିତ୍ସା ଲାଗି ବିଦେଶ ଯିବାକୁ ପୁଣି ଥରେ କୋର୍ଟଙ୍କୁ ପାସପୋର୍ଟ ନିମନ୍ତେ ନିବେଦନ କରାଯାଇପାରିବ ବୋଲି ପ୍ରଭାତ କୁମାର କହିଛନ୍ତି।