ଜାତୀୟ

କୋଭିଡ ପରେ ସୋନିଆଙ୍କ ନାକରୁ ପଡିଥିଲା ରକ୍ତ, ଜୟରାମ ରମେଶ ଜାରି କଲେ ହେଲଥ୍ ଅପଡେଟ୍

ନୂଆଦିଲ୍ଲୀ: ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି କୋଭିଡରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଏବେ କଂଗ୍ରେସ ଜାରି କରିଛି। ଜୟରାମ ରମେଶ ଏହି ହେଲଥ୍ ଅପଡେଟ୍ ଜାରି କରିଥିବା ବେଳେ ଜୁନ ୧୨ ତାରିଖ ଦିନ ସୋନିଆଙ୍କ ନାକରୁ ରକ୍ତ ପଡିଥିଲା ବୋଲି ସୂଚିତ କରିଛନ୍ତି। ଏଣୁ ସେଦିନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋନିଆ ଏବେ ମଧ୍ୟ ସାର ଗଙ୍ଗାରାମ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

ସୋନିଆ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ଚିକିତ୍ସା ତୁରନ୍ତ ଆରମ୍ଭ କରିଦିଆଯାଇଥିଲା। ଗୁରୁବାର ସୋନିଆଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଯାଞ୍ଚ କରିବା ପରେ ତାଙ୍କ ଲୋଅର ରେସିପ୍ରେଟରୀ ଟ୍ରାକ୍ଟରେ ଫଙ୍ଗାଲ ଇନଫେକ୍ସନ ଥିବାର ଜଣାପଡିଛି। ଜୟରାମ ରମେଶଙ୍କ ସୂଚନା ଅନୁସାରେ ସୋନିଆ ଏବେବି ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତର ନଜର ରଖି ରହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ ହେରଲ୍ଡ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଯାଞ୍ଚ ଏବେ ଜାରି ରହିଛି। ମାମଲାରେ ପଚରା ଉଚରା ଲାଗି ଇଡି ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ସମନ କରିଥିଲେ। ତେବେ କୋଭିଡ ଯୋଗୁ ସୋନିଆ ଇଡିରେ ହାଜର ହୋଇ ପାରିନଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଇଡି ଏବେ ଜେରା କରୁଛି। ସୋନିଆଙ୍କୁ ଜୁନ ୨୩ ତାରିଖ ଦିନ ହାଜର ହେବା ପାଇଁ ଇଡି ସମନ କରିଛନ୍ତି। ତେବେ ସ୍ୱାସ୍ଥ୍ୟଗତ କାରଣରୁ ସୋନିଆ ସେଦିନ ହାଜର ହୋଇ ପାରିବେ କି ନା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com