ଓଡ଼ିଶା

ସମ୍ବଲପୁରରେ ଆଖି ବୁଜିଲା ଦନ୍ତା, ପାଞ୍ଚ ଦିନ ହେଲା ପୋଖରୀରେ ଫସିଥିଲା ହାତୀ

ସମ୍ବଲପୁର: ପାଞ୍ଚ ଦିନର ପରିଶ୍ରମ ବୃଥା । ସମ୍ବଲପୁରରେ ବି ବଞ୍ଚିପାରିଲାନି ହାତୀ । ପ୍ରଥମ ଆଠଗଡ଼ ଆଉ ଏବେ ସମ୍ବଲପୁରରେ ମରିଯାଇଛି ଦନ୍ତା ହାତୀ । ପୋଖରୀରୁ ବାହାରକୁ ଆସିବା ପରେ ହାତୀଟିର ମୃତ୍ୟୁ ହୋଇଛି ବୋଲି ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ପୋଖରୀରେ ଏକ ଦନ୍ତାହାତୀ ଫସିରହିଥିଲା । ପୋଖରୀରେ ଫସିଥିବାର ହାତୀକୁ ବାହାର କରିବା ବନବିଭାଗ ପକ୍ଷେ କାଠିକର ପାଠ ହୋଇଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ମଙ୍ଗଳବାର ଦିନ କ୍ରେନ୍‌ ଓ ରଶି ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା । ହେଲେ ସେତେବେଳକୁ ସବୁ ବିଳମ୍ବ ହୋଇଯାଇଥିଲା । ପୋଖରୀରୁ ବାହାରିବାର କିଛି ସମୟ ପରେ ଦନ୍ତାଟିର ମୃତ୍ୟୁ ହୋଇସାରିଥିଲା । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ତେବେ ହାତୀଟିର ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ସେନେଇ ତନାଘନା ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com