ଜାତୀୟ

କାନପୁର ହିଂସା : ଗିରଫ ହେଲା ବାବା ବିରିଆନିର ମାଲିକ ମୁଖ୍‌ତାର ବାବା

କାନପୁର : କାନପୁର ହିଂସା ମାମଲାରେ ବୁଧବାର ଏସଆଇଟି (ସ୍ପେସିଆଲ୍‌ ଇନଭେଷ୍ଟିଗେସନ ଟିମ୍) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହୟାତ ଜଫର ହାଶମୀକୁ ଟଙ୍କା ଦେଉଥିବା ଅଭିଯୋଗରେ ପୋଲିସ ମୁଖତାର ବାବାକୁ ଗିରଫ କରିଛି। ଗତ କିଛି ଦିନ ହେଲା ପୋଲିସ ବାବା ବିରିୟାନିର ମାଲିକ ମୁଖତାର ବାବା ଉପରେ କଡ଼ା ନଜର ରଖିଥିଲା। ଯାହାପରେ ବୁଧବାର ମୁଖତାର ବାବାକୁ ଗିରଫ କରା ଯାଇଛି। ମୁଖତାର ବାବା ନାଁରେ ଅନେକ ଅପରାଧିକ ମାମାଲା ରହିଛି। ମୁଖତାର ବାବାକୁ ଗିରଫ କରାଯାଇଛି ବୋଲି ଯୁଗ୍ମ ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରି କହିଛନ୍ତି। ପୋଲିସ ସୂତ୍ର ଅନୁସାରେ ମୁଖତାର ପରେଡ୍‌ ହିଂସା ପାଇଁ ଟଙ୍କା ଦେଇଥିଲା। ହୟାତ୍‌  ମୁଖତାର୍‌ ବାବାଠାରୁ ଟଙ୍କା ନେଉଥିଲା ବୋଲି ପଚରାଉଚୁରାରୁ ଜଣା ପଡ଼ିଥିଲା। ବାବା ବିରିୟାନି ପଥର ମାଡ଼ କରିବା ପାଇଁ ଡକାଯାଇଥିବା ଲୋକମାନଙ୍କର ଖାଇବା ପିଇବାର ବ୍ୟବସ୍ଥା କରିବା ସହିତ ଟଙ୍କା ଯୋଗାଇବାରେ ସାହାଜ୍ୟ କରିଥିଲା। କେବଳ ସେତିକି ନୁହେଁ ଶତୃ ସମ୍ପତ୍ତି ଓ ପ୍ରାଚୀନ ମନ୍ଦିରର ଏକ ଅଂଶକୁ ଜବରଦଖଲ କରି ବିରିୟାନି ଦୋକାନ ଖୋଲିବା ଅଭିଯୋଗ ମଧ୍ୟ ମୁଖତାର ବାବା ନାଁରେ ରହିଛି। ସୂଚନାଥାଉକି, ଜୁନ୍‌ ୩ରେ ନମାଜ ପାଠ ପରେ କାନପୁରରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା। ଦୁଇଟି ସମ୍ପ୍ରଦାୟ ମୁହାଁମୁହିଁ ହେବା ଫଳରେ ହିଂସାକାଣ୍ଡ ହୋଇଥିଲା। ଦୁଇଟି ସମ୍ପ୍ରଦାୟ ପକ୍ଷରୁ ପରସ୍ପରକୁ ଟେକାପଥର ମାଡ଼ କରାଯାଇଥିଲା। ଏହି ଅଘଟଣ ପରେ ସରକାର ଏକ୍ସନ ମୋଡ଼କୁ ଆସିଥିଲା। ଏହି ମାମଲାରେ ଲଗାତାର ଚାଞ୍ଚଲ୍ୟକର ଖୁଲାସା ହେଉଛି। ଏହି ହିଂସାକାଣ୍ଡରେ ଆକ୍ରମଣ ଉପଦ୍ରବ କରିଥିବା ଲୋକମାନେ ପେଟ୍ରୋଲ ବୋମା ମଧ୍ୟ ବ୍ୟବହାର କରିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲାକି ହିଂସା ପୂର୍ବରୁ ପେଟ୍ରୋଲ୍‌ ପମ୍ପରୁ ପେଟ୍ରୋଲ୍‌ କିଣାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com