କ୍ରୀଡ଼ା

ଆଜି ଭାରତ, ଆୟର୍ଲାଣ୍ଡ ପ୍ରଥମ ଟି-୨୦

ଆୟର୍ଲାଣ୍ଡ, ୨୬/୦୬/୨୨- ଆଜିଠାରୁ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା । ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି ଡବଲିନରେ ଖେଳାଯିବ । ପ୍ରଥମଥର ପାଇଁ ଜାତୀୟ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଯଦିଓ ତାଙ୍କ ପାଇଁ ଆୟର୍ଲାଣ୍ଡ ସିରିଜ୍ ବଡ଼ କାର୍ଯ୍ୟଭାର ନୁହେଁ, ତଥାପି ସେ ଅଧିନାୟକ ଭାବେ ସେ ନିଜର ପ୍ରଥମ ଶୃଙ୍ଖଳାକୁ ସ୍ମରଣୀୟ କରିବାକୁ ଚାହିଁବେ । ଭାରତର ଅଭିଜ୍ଞ ଖେଳାଳି ମାନେ ଇଂଲଣ୍ଡ ଗ୍ରସ୍ତରେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆୟର୍ଲାଣ୍ଡ ଶୃଙ୍ଖଳା ପାଇଁ ଦ୍ୱିତୀୟ ସ୍ତରର ଦଳ ପଠାଇଛି । ପ୍ରଥମ ମ୍ୟାଚରେ ଦ୍ରୁତ ବୋଲର ଉମରାନ୍ ମଲିକଙ୍କୁ ସୁଯୋଗ ମିଳିପାରେ । ସେହିପରି ଦଳକୁ ଫେରିଥିବା ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନଙ୍କ ପାଇଁ ଏହି ଶୃଙ୍ଖଳା ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱକପ୍ ପ୍ରସ୍ତୁତିରେ ସହାୟକ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁଯୋଗ ପାଇନଥିବା ଭେଙ୍କଟେଶ ଆୟର, ଅର୍ଶଦୀପ ସିଂହ, ଦୀପକ ହୁଡାଙ୍କ ଭଳି ଖେଳାଳି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପ୍ରସ୍ତୁତିରେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବ୍ୟସ୍ତ ଥିବାରୁ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କୁ ଆୟର୍ଲାଣ୍ଡ ଶୃଙ୍ଖଳା ପାଇଁ ପ୍ରଶିକ୍ଷକ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଅପେକ୍ଷାକୃତ ଦୂର୍ବଳ ଆୟର୍ଲାଣ୍ଡ ଦଳ ଗତ ତିନି ବର୍ଷରେ ମାତ୍ର ଗୋଟିଏ ଟି- ୨୦ ଶୃଙ୍ଖଳା ଜିତିଛି । ତେଣୁ ଦଳ ମ୍ୟାଚ୍ ଜିତି ଏହି ଅଲୋଡ଼ା କୀର୍ତ୍ତିରେ ସୁଧାର ଆଣିବା ଲକ୍ଷ୍ୟରେ ରହିବ  ।

Related Articles

Back to top button
WP Twitter Auto Publish Powered By : XYZScripts.com