ଉମରକୋଟ, ୦୨/୦୭/୨୦୨୨- ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗକୁ ମିଳିଛି ବଡ଼ ସଫଳତା । କଲରା ପତ୍ରିଆ ବାଘ ଛାଲ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି । ଚାଲାଣକାରୀଙ୍କ ଠାରୁ ଏକ କଲରା ପତ୍ରିଆ ବାଘର ଛାଲ ଜବତ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମର ଅନନ୍ତ ପନକା ନାମକ ଜଣେ ବ୍ୟକ୍ତି ରାଇଘର ବ୍ଲକ୍ ଅନ୍ତର୍ଗତ କିରାପାଣି ଗ୍ରାମର ବନ ସାନ୍ତାଙ୍କ ନିକଟରୁ ଏକ କଲରା ପତ୍ରିଆ ବାଘ ଛାଲ ନେଇ, ନବରଙ୍ଗପୁର ତାରାଗାଁର ଜଗନ୍ନାଥ ହରିଜନ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ଯାଉଥିଲେ । ତେବେ ଉମରକୋଟ ନିକଟସ୍ଥ ସେମଲା ଗ୍ରାମ ନିକଟରେ ଉମରକୋଟ ବନ ବିଭାଗ ସହ ଡ଼ାବୁଗାଁ ବନ ବିଭାଗ ଓ ରାଇଘର ବନ ବିଭାଗ ମିଳିତ ଭାବରେ ଚଢ଼ାଉ କରି ବାଘ ଛାଲ ଉଦ୍ଧାର କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲେ । ଏ ନେଇ ଉମରକୋଟ ବନ ବିଭାଗ ପକ୍ଷରୁ କେସ୍ ନମ୍ବର ୫୭/୨୨-୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ, ବନ୍ୟଜନ୍ତୁ ଆଇନ ୧୯୭୨ର ଧାରା ୨,୯,୩୯,୪୦,୪୮ ଓ ପେନାଲ ୫୧ ଲଗାଯାଇଛି। ଏହି ବାଘ ଛାଲ ଚାଲାଣରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
Back to top button