ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ କ୍ଷୋଭ । ବିଧାନସଭା ଭିତରେ ଓ ବାହାରେ ସରକାରୀ ବାବୁଙ୍କୁ ଘେରିଛନ୍ତି ସୌମ୍ୟ ପଟ୍ଟନାୟକ । ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ନେଇ ଶୂନ୍ୟ କାଳରେ ଉଦବେଗ ପ୍ରକାଶ କରିବା ସହ ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।
ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ ବୋଲି ସରକାରୀ ବାବୁଙ୍କୁ ପରୋକ୍ଷ ଆକ୍ଷେପ କରିଛନ୍ତି ସେ । ବିଧାନସଭା ବାହାରେ ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରି କହିଛନ୍ତି, ରାଜ୍ୟରେ ସରକାରୀ ଅଧିକାରୀମାନଙ୍କର ଅହଂକାର ବଢିଯାଇଛି । ଏଥିରେ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ବିପଦରେ ପଡିବ ବୋଲି ସେ ଚେତାଇ ଦେଇଛନ୍ତି । ତେବେ ସୌମ୍ୟଙ୍କ ଏହି ମନ୍ତବ୍ୟକୁ ବ୍ୟକ୍ତିଗତ ବୋଲି କହିଛି ବିଜେଡି ।