ନୂଆଦିଲ୍ଲୀ: ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ୬୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୪୧ ଜଣ ଏବେ ବି ନିଖୋଜ ଅଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ, ଏନଡିଆରଏଫ, ଭାରତ-ତୀବ୍ବତ ସୀମା ପୋଲିସ ଓ ସେନା ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଥି ମଧ୍ୟରେ ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ରୋକି ଦିଆଯାଇଥିବା ଖବର ଆସୁଛି।

ଅମରନାଥରେ ବାଦଲ ଫାଟିବା ପରେ ଯାତ୍ରା ରୋକି ଦିଆଯାଇଥିଲା। ତେବେ ସୋମବାର ସୁଦ୍ଧା ଯାତ୍ରା ପୁଣି ଆରମ୍ଭ ହେବାର ୯୯ ପ୍ରତିଶତ ସୁଯୋଗ ଥିବାର ଯାତ୍ରୀମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଅଚାନକ ବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଅନେକ ତମ୍ବୁ ଭାସି ଯାଇଥିବା ବେଳେ ଲୋକେ ପ୍ରଭାବିତ ହୋଇଥିଲେ। ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୬କୁ ପହଞ୍ଚିଥିବା ବେଳେ ଏଥିରେ ୭ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି। ଅନ୍ୟ ୨ ଜଣଙ୍କ ଚିହ୍ନଟ ହୋଇପାରିନାହିଁ।

ବର୍ଷା ଓ ବନ୍ୟା ଯୋଗୁ ପଙ୍କରେ ପୋତି ହୋଇପଡିଥିବା ୬୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ଲୋକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ରାକୃତିକ ଦୁର୍ବିପାକ ପରେ ଜମ୍ମୁ-କାଶ୍ମୀର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। କର୍ମଚାରୀଙ୍କୁ ଡ୍ୟୁଟିରେ ଯୋଗଦାନ କରିବାକୁ କୁହାଯାଇଛି। ସେହିପରି ସବୁ କାର୍ଯ୍ୟାଳୟଙ୍କୁ ସେମାନଙ୍କ ଫୋନ ଚାଲୁ ରଖିବାକୁ କୁହାଯାଇଛି।
Back to top button