ଜାତୀୟ

କଳା ରଙ୍ଗର ବର ପସନ୍ଦ ଆସିଲାନି, ଅଧା ବାହା ହୋଇ ଉଠି ଆସିଲା କନିଆଁ

ନୂଆଦିଲ୍ଲୀ: ଦୁଇ ଫେରା ନେଇ ସାରିଥିଲେ । କିନ୍ତୁ ହଠାତ ବାହା ହେବାକୁ ମନା କଲା କନିଆଁ । ସମସ୍ତେ ହୋଇଗଲେ ତାଜୁବ । ଉପସ୍ଥିତ ଅତିଥି ବି ପରସ୍ପରର ମୁହଁକୁ ଅନାଇଲେ । ସିଧାସିଧା ବାହା ହେବନି ବୋଲି ମନା କରିଦେଲା କନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଇଟବା ଜିଲ୍ଲାରେ ।

ସୂଚନାନୁସାରେ, ଇଟବା ମରଥନା ଅଞ୍ଚଳର ରବି ଯାଦବ ନାମକ ଜଣେ ଯୁବକଙ୍କ ବିବାହ ନୀତା ଯାଦବଙ୍କ ସହ ସ୍ଥିର ହୋଇଥିଲା । ବାହାଘର ପାଇଁ ରବି ବରଯାତ୍ରୀ ଧରି ନୀତାଙ୍କ ଘରକୁ ଆସିଥିଲେ । ବେଦିରେ ବିବାହକାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଦୁଇଟି ଫେରା ନେବା ପରେ ନୀତା ବାହା ହେବାକୁ ମନା କରିଥିଲେ । ବର ଦେଖିବାକୁ କଳା ବୋଲି ସେ କହିଥିଲେ । ଏହାସହ ବିବାହ ଭାଙ୍ଗିବାକୁ ଘରେ କହିଥିଲେ । ଏହାପରେ ବେଦିରୁ ତାଲିଯାଇଥିଲେ । ପରିବାର ଲୋକେ କନିଆଁକୁ ବୁଝାଇଥିଲେ ବି ସେ କିଛି ଶୁଣିନଥିଲେ ।

ବୁଝିଲେନି ନୀତା

ବିବାହ ପାଇଁ ପରିବାର ଲୋକେ ନୀତାଙ୍କୁ ୬ ଘଣ୍ଟା ଧରି ବୁଝାଇଥିଲେ । କିନ୍ତୁ ସେ ରାଜି ହୋଇନଥିଲେ । ଶେଷରେ ବିନା ବିବାହ ହୋଇ ବର ରବି କାନ ମୁଣ୍ଡା ଆଉଁସି ଘରକୁ ଫେରିଥିଲେ । ରବିଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ମାଗିଛନ୍ତି । ଏପରିକି ନୀତା ଲକ୍ଷାଧିକ ଟଙ୍କାର ଗହଣା ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com