ଅନ୍ତର୍ଜାତୀୟବାଣିଜ୍ୟ

ଦୁନିଆରେ ଠପ୍ ହୋଇଯିବ ମୋବାଇଲ୍ ଓ କାର ଉତ୍ପାଦନ ! ୟୁକ୍ରେନ ଉପରେ ଆକ୍ରମଣରେ ବଢିଲା ଚିପ୍ ସଙ୍କଟ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆରେ ଚିପ୍ ସଙ୍କଟକୁ ଆହୁରି ଘନୀଭୂତ କରିପାରେ। ଗତ ଦେଢ ବର୍ଷ ହେବ ପୂରା ଦୁନିଆ ଚିପ୍‌ର ଅଭାବଜନିତ ସମସ୍ୟାର ସମ୍ମୁଖୀନ  ହେଉଛି। ଯଦି ଏହି ସଙ୍କଟ ଆହୁରି ବଢେ ତେବେ ସ୍ଥିତି ଅଧିକ ଜଟିଳ ହୋଇଯିବ। ଏକ ରିପୋର୍ଟ ମୁତାବକ, ସମଗ୍ର ଦୁନିଆରେ ପେଲୋଡିୟମ ଯୋଗାଣରେ ୪୪ ପ୍ରତିଶତ ଭାଗିଦାରୀ ରୁଷ ହାତରେ ରହିଛି। ଏହା ବ୍ୟତୀତ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନରୁ ହୋଇଥାଏ।  କୌଣସି ବି ଚିପ୍ ତିଆରି ପାଇଁ ଦୁଇ ଜିନିଷର ଅତି ଆବଶ୍ୟକ ରହିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ କାରଣରୁ ଏବେ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିରୁ ସ୍ପଷ୍ଟ ଯେ, ଆଗାମୀ ଦିନରେ ଚିପ୍‌ ସଙ୍କଟର ପ୍ରଭାବ ସମଗ୍ର ଦୁନିଆରେ ଦେଖିବାକୁ ମିଳିପାରେ।
ମୁଡିଜ୍ ନିଜର ରିପୋର୍ଟରେ ଦର୍ଶାଇଛି ଯେ, କରୋନା ମହାମାରୀ ପରେ ଦୁନିଆରେ ଯେଉଁ ସଙ୍କଟ ଦେଖା ଦେଇଥିଲା, ତାହା ଏବେ ଜାରି ରହିଛି। ପେଲୋଡିୟମ ଏବଂ ନିଅନ ଏମିତି ଦୁଇଟି ଜିନିଷ ଯାହା କୌଣସି ଚିପ୍ ଅର୍ଥାତ ସେମି କଣ୍ଡକ୍ଟର ନିର୍ମାଣରେ ବ୍ୟବହାର ହୋଇଥାଏ। ଏହି ସେମି କଣ୍ଡକ୍ଟର କୌଣସି ବି ଇଲେକ୍ଟ୍ରିକ ଉପକରଣ ଯେମିତି କି କାର, ମୋବାଇଲ ଏବଂ ଅନ୍ୟ ଉତ୍ପାଦନରେ ଲାଗିଥାଏ। ଏହା ବିନା ବୈଦ୍ୟୁତିକ ଉପକରଣ  ଚାଲିବା ବହୁତ ମୁସ୍କିଲ। ସେମି କଣ୍ଡକ୍ଟର ବିନା କାରଠୁ ନେଇ ମୋବାଇଲ ସବୁ ବେକାର। ତେଣୁ ଏହାର ଯୋଗାଣ ବାଧାପ୍ରାପ୍ତ ହେବାରୁ ପୂରା ଦୁନିଆରେ ସଙ୍କଟର ସ୍ଥିତି ଆରମ୍ଭ ହୋଇ ଯାଇଛି। ମୋବାଇଲ୍ ଏବଂ କାର ଉତ୍ପାଦନ ଉପରେ ଏହାର ଗୁରୁତର ପ୍ରଭାବ ପଡିଛି।
ସଙ୍କଟରେ ଏତିକିରେ ସରୁନାହିଁ। ବରଂ ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ଭାରତ ପରି ଦେଶଗୁଡିକରେ ମହଙ୍ଗା ବଢିବାକୁ ଯାଉଛି। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୦ ଡଲାରକୁ ବୃଦ୍ଧି ଘଟିଛି। ତେଣୁ ଆଗାମୀ ସପ୍ତାହରେ ଅର୍ଥାତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

Related Articles

Back to top button