ଜାତୀୟରାଜନୀତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତଦାନ

ଭାରତର ଷୋଡଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍‌ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍‌ ଦେଇଛନ୍ତି । ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍‌ ଦେଇଥିଲେ। ଏହିକ୍ରମରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଥିବାରୁ ପାର୍ଲାମେଣ୍ଟ୍‌ ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମତଦାନ କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଭୋଟ୍ ଦେଇଛନ୍ତି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ଭୋଟଦାନ କରିଛନ୍ତି । ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ମୁକୁଟ ପିନ୍ଧିବା ନିଶ୍ଚିତ ବୋଲି ଦାବି କରିଛି ବିଜେପି । ୨୭ ଟି ଦଳର ସମର୍ଥନ ସହିତ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିପୁଳ ସମର୍ଥନ ରହିଥିବା କୁହାଯାଇଛି। ଏଥି ସହିତ, କେବଳ ୧୪ ଟି ଦଳର ସମର୍ଥନରେ ସିହ୍ନାଙ୍କୁ ପ୍ରାୟ ୩ଲକ୍ଷ ୬୨ ହଜାର ଭୋଟ୍ ମିଳିବ ବୋଲି ଆଶା କରାଯାଉଛି । ଆଜି ସକାଳେ ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଟୁଇଟ୍‌ କରି ଲେଖିଥିଲେ: ଆଜି ରାଷ୍ଟ୍ରପତି ନିର୍ବାଚନ। ମହାଦେବଙ୍କ ଆଶିଷ ମିଳିବ ବୋଲି ମୋର ବିଶ୍ବାସ। ହର ହର ମହାଦେବ। ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଧାୟକମାନେ ଭୋଟ୍‌ ଦେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com