ଜାତୀୟବାଣିଜ୍ୟ

GST ପ୍ରଭାବ, ଅମୂଲ ବଢ଼ାଇଲେ ଦହି ଓ ଲସି ଦର, ଜାଣନ୍ତୁ କ’ଣ ସବୁ ହେଲା ମହଙ୍ଗା

ଆନନ୍ଦ: କେନ୍ଦ୍ର ସରକାର ୧୮ ଜୁଲାଇରୁ ସାରା ଦେଶରେ ଦୈନନ୍ଦିନ ଆବଶ୍ୟକ ହେଉଥିବା  ସାମଗ୍ରୀ ଉପରେ ନୂଆ ହାରରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ କରିଛନ୍ତି। ଯାହାର ପ୍ରଭାବ ମଙ୍ଗଳବାର ସାରା ଦେଶରେ ଅନୁଭୂତ ହୋଇଛି। ଭାରତର ସର୍ବ ବୃହତ୍ତ ଡାୟରୀ କମ୍ପାନୀ ଅମୂଲ ଡାୟରୀ ତାଙ୍କ ଉତ୍ପାଦ ଦର ବୃଦ୍ଧି କରିଛନ୍ତି। ଏହି ନୂଆ ଦର ସାରା ଦେଶରେ ଜୁଲାଇ ୧୯ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଅମୂଲର ପ୍ୟାକେଟ୍ ଡାୟରୀ ପ୍ରଡକ୍ଟରେ ୫ ପ୍ରତିଶତ ଜିଏସଟି ବୃଦ୍ଧି ହୋଇଛି। ଫଳରେ ଅମୂଲର ଘୋଳ ଓ ବସା ଦହି, ଫ୍ଲେଭର୍ଡ ମିଲ୍କ ସମେତ ମିଲ୍କ ପ୍ରଡକ୍ଚର ଦାମ ବଢ଼ି ଯାଇଛି।

ସରକାର ପ୍ରଥମ ଥର ପ୍ୟାକେଟ୍ ଦୁଗ୍ଧଜାତ ସାମଗ୍ରୀକୁ ଜିଏସଟି ଅନ୍ତର୍ଗତ କରିଛନ୍ତି। ଏଥିରେ ପ୍ୟାକେଟ୍ ଦୁଗ୍ଧ, ଦହି, ଲସି, ପନିର ଆଦି ଉପରେ ନୂଆ କରି କର ଲାଗୁ ହୋଇଛି। ଏହି ସବୁ ଉତ୍ପାଦରୁ ୫ ପ୍ରତିଶତ ହାରରେ ଜିଏସଟି ଅସୁଲ କରାଯାଉଛି। ଏଣୁ ଅମୂଲ ତାଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛନ୍ତି। ଅମୂଲ ତାଙ୍କର ମୂଲ୍ୟ ବୃଦ୍ଧି କରିସାରିଥିବାରୁ ଆଗାମୀ ଦିନମାନଙ୍କରେ ଦେଶର ଅନ୍ୟ ଉତ୍ପାଦନକାରୀମାନେ ମଧ୍ୟ ସେମାନଙ୍କ ସାମଗ୍ରୀରେ ଶୁଳ୍କ ଲାଗୁ କରିପାରନ୍ତି।

ପୂର୍ବରୁ ଅମୂଲର ୨୦୦ ଗ୍ରାମ କପ୍‌ର ମୂଲ୍ୟ ୨୦ ଟଙ୍କା ଥିବା ବେଳେ  ନୂଆ ଶୁଳ୍କ ଲାଗୁ ହେବା ପରେ ଦର ୨୧ ଟଙ୍କାକୁ ପହଞ୍ଚିଛି। ସେହିପରି ୪୦୦ ଗ୍ରାମର ଦହି କପ୍ ଏଣିକି ୪୦ ଟଙ୍କା ବଦଳେ ୪୨ ଟଙ୍କାରେ ବିକ୍ରି କରାଯିବ। ପୂର୍ବରୁ ୩୦ ଟଙ୍କାରେ ମିଳୁଥିବା ୫୦୦ ଗ୍ରାମ ଅଧକେଜି ଦହି ପ୍ୟାକେଟ୍ ଏବେ ୩୨ ଟଙ୍କାରେ ବିକ୍ରି ହେବ। ସେହିପରି ଏକ କେଜିର ଦହି ପ୍ୟାକେଟ୍ ଯାହା ପୂର୍ବରୁ ୬୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ୬୯ ଟଙ୍କାରେ ମିଳିବ। ୧୦ ଟଙ୍କାରେ ମିଳୁଥିବା ୧୭୦ ମିଲିର ଅମୂଲ ଲସି ଏବେ ୧୧ ଟଙ୍କା ଦେଇ କିଣିବାକୁ ହେବ।

ଅମୂଲର ଫ୍ଲେଭର୍ଡ ମିଲ୍କ ୨୦ ଟଙ୍କିଆ ବୋତଲ ପାଇଁ ଏବେ ୨୨ ଟଙ୍କା ଦେବାକୁ ପଡିବ। ଟ୍ରେଟ୍ରାପ୍ୟାକରେ ମିଳୁଥିବା ୨୦୦ ମିଲି ଦହି ପାଇଁ ୧୨ ଟଙ୍କା ବଦଳେ ୧୩ ଟଙ୍କା ଦେବାକୁ ପଡିବ। ତେବେ ୨୦୦ ଗ୍ରାମର ଲସି କପ୍ ପୂର୍ବ ପରି ୧୫ ଟଙ୍କା ଦରରେ ମିଳିବ। ଜିଏସଟି ବଢିବା ଯୋଗୁ ଅନେକ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ପଡିଛି ବୋଲି ଅମୂଲର ମ୍ୟାନେଜିଂ ଡାଇରେକ୍ଟର ଆର.ଏସ୍.ସୋଢି କହିଛନ୍ତି। ତେବେ ଛୋଟ ପ୍ୟାକେଟ୍‌ ଉପରେ ବର୍ଦ୍ଧିତ ଦର କମ୍ପାନୀ ନିଜେ ବହନ କରିବେ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com