ଓଡ଼ିଶା

ଓଡ଼ିଶାରେ ପହଞ୍ଚିଲା ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମରଶରୀର, ଶେଷ ଦର୍ଶନ ପରେ ପୈତୃକ ଗାଁରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମରଶରୀର । ୭ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ପାର୍ଥିବ ଶରୀର । ସେଠାରୁ ମରଶରୀରକୁ ଭୁବନେଶ୍ୱର ଆଇଏଲଏସ କାର୍ଯ୍ୟାଳୟ ନିଆଯାଇଛି । ସେଠାରେ ୮ଟା ୩୦ରୁ ୯ଟା ୩୦ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ କରିହେବ । ଶେଷ ଦର୍ଶନ ପରେ ପୈତୃକ ଗାଁ ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ । ଗତକାଲି ବରିଷ୍ଠ ବୈଜ୍ଞାନିକ ତଥା ଭୁବନେଶ୍ୱର ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ପରଲୋକ ହୋଇଥିଲା । ଗୁଆହାଟୀରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ।

୧୯୬୩ ମସିହାରେ ଯାଜପୁରର ଭଗବାନପୁରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଅଜୟ ପରିଡ଼ା । ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତନ ଓ କୃଷି ଉତ୍ପାଦନ ସମ୍ପର୍କରେ ସେ ବହୁ ଅଧ୍ୟୟନ କରିଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅତୁଳନୀୟ ଅବଦାନ ନିମନ୍ତେ ଡକ୍ଟର ଅଜୟଙ୍କୁ ୨୦୧୪ରେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୁବନେଶ୍ୱରରେ ILS ପ୍ରତିଷ୍ଠା ହେବା ଦିନଠୁ ସେ ଏହାର ନିର୍ଦ୍ଦେଶକ ଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ସେ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ ତରଫରୁ ଉମାକାନ୍ତ ମେମୋରିଆଲ ପୁରସ୍କାର, ବିଏମ ବିର୍ଲା ବିଜ୍ଞାନ ପୁରସ୍କାର, ଟାଟା ଇନୋଭେସନ ଫେଲୋସିପ ଡିପାର୍ଟମେଣ୍ଟ ଅଫ ବାୟୋଟେକନୋଲୋଜିକାଲ୍ ଆଦି ଏକାଧିକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

କରୋନା ଭୟାବହତା ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପନ୍ନ କରିଥିଲେ ଅଜୟ ପରିଡ଼ା । କୋଭିଡକୁ ନେଇ ତାଙ୍କ ସୂଚନା ଓ ପରାମର୍ଶକୁ ଲୋକ ଅପେକ୍ଷା କରି ରହୁଥିଲେ । କରୋନା ବାବଦରେ ବିସ୍ତୃତ ତଥ୍ୟ ଦେଉଥିଲେ ଅଜୟ । ଅଜୟଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।

Related Articles

Back to top button
WP Twitter Auto Publish Powered By : XYZScripts.com