ଓଡ଼ିଶା

କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲେ ୨୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ଠକଙ୍କ ମାୟା ଜାଲରେ ଫସିଗଲେ ଆଇଟି ପ୍ରଫେସନାଲ୍‌। କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲା ୨୪ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଟଣୀ ଅଞ୍ଚଳର ଜଣେ ଆଇଟି ପ୍ରଫେସନାଲ୍‌ ବିବାହ ପାଇଁ ମାଟ୍ରିମୋନି ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲେ। ସେଠାରେ ସର୍ଚ୍ଚ କରୁଥିବା ବେଳେ ଠକ ଯୁବତୀଙ୍କ ହାବୁଡ଼ରେ ପଡ଼ିଥିଲେ। ଯୁବତୀ ଜଣକ ନିଜକୁ ବାଲେଶ୍ଵର ଜିଲ୍ଲାର ଝିଅ ବୋଲି ପରିଚୟ ଦେଇଥିଲେ। ନିଜର ନାଁ ପ୍ରିୟା ଗୁପ୍ତା କହିଥିଲେ। ସେ କାଲିଫର୍ନିଆରେ ରହି MBBS କରୁଥିବା କହିଥିଲେ।

ଡାକ୍ତର ବୋଲି ଭାବି ବେଶ୍‌ ଖୁସିରେ ଥିଲେ ଆଇଟି ପ୍ରଫେସନାଲ୍‌ ଯୁବକ। ତାଙ୍କ ସହିତ ଚାଲିଥିଲା ଚାର୍ଟିଂ ଓ ବାର୍ତ୍ତାଳାପ। ଯୁବକ ଜଣକ ଏକା ଗପୁନଥିଲେ, ପରିବାର ଲୋକ ମଧ୍ୟ ଯୁବତୀଙ୍କ ସହିତ କଥା ହେଉଥିଲେ। ଦୀର୍ଘ ୬ ମାସ ଧରି ଚାଲିଥିଲା ଏମିତି କଥାବାର୍ତ୍ତା। ପ୍ରିୟା ୭୦ ହଜାର UK ଡଲାର ଧରି ଭାରତ ଆସିଥିବା ବେଳେ ଦିଲୀ ବିମାନ ବନ୍ଦରରେ ଫସି ଯାଇଥିବା ଯୁବକଙ୍କୁ କହିଥିଲେ। ସେହି ଡଲାର ମୁକୁଳାଇବା ପାଇଁ ଟଙ୍କା ମାଗିଥିଲେ। ତାଙ୍କ କଥାରେ ପଡ଼ି ଯୁବକ ଜଣକ ଟଙ୍କା ଦେଇଥିଲେ। ଏମିତି ବିଭିନ୍ନ ସମୟରେ ମୋଟ୍‌ ୨୪ ଲକ୍ଷ ଟଙ୍କା ନେଇ ଠକିଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି।

ଠକାମୀରେ ଶିକାର ହୋଇଥିବା ଯୁବକ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com