କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ପୁଣି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତମାନେ ଏହି ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ଅଧିନସ୍ଥ ଛତାଆମ୍ବ ଗ୍ରାମର। ମୃତକ ଜଣକ ଏହି ଗ୍ରାମର ଛେରୁ ଜାନୀଙ୍କ ପତ୍ନୀ ଡମୁଣି ଜାନୀ (୪୦)।
ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଡମୁଣିଙ୍କ ଝାଡ଼ା ଓ ବାନ୍ତି ହୋଇଥିଲା। ସାଙ୍ଗେସାଙ୍ଗେ ତାଙ୍କୁ ପରିବାର ଲୋକେ ଦଶମନ୍ତପୁର ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଶ୍ରୀରାମ ପରିଡ଼ା ସୂଚନା ଦେଇଛନ୍ତି।
ଏହି ଖବର ପରେ ଡ. ପରିଡ଼ା ଛତାଆମ୍ବ ଗାଁକୁ ଯାଇ ଗୁରୁତର ଥିବା ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣିଥିଲେ। ଅନ୍ୟମାନଙ୍କୁ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି।
ଦଶମନ୍ତପୁର ବ୍ଲକରେ ଏବେ ପରିସ୍ଥିତି ଅଣାୟତ୍ତ ହୋଇଛି। ଶେଷ ଖବର ସୁଦ୍ଧା ଏହି ବ୍ଲକରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଗଲାଣି। ପ୍ରାୟ ୨୨ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି।
ଗୁରୁତର ଶିଶୁ ଓ ମହିଳାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଉଛି।
ଛତାଆମ୍ବ ଗାଁରେ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ହାଲୋଜିନ୍ ବଟିକା ଏବଂ ଓଆରଏସ୍ ବଣ୍ଟନ କରୁଛନ୍ତି। ସ୍ୱଚ୍ଛ ପାଣି ପିଇବାକୁ ସଚେତନ କରୁଛନ୍ତି। ଝାଡ଼ାବାନ୍ତିର ମୁଖ୍ୟ କାରଣ ପାନୀୟ ଜଳ ସମସ୍ୟା ଓ ଦୂଷିତ ପାଣି ବ୍ୟବହାର ବୋଲି ଡ. ପରିଡା ପ୍ରକାଶ କରିଛନ୍ତି।
Back to top button