ଓଡ଼ିଶା

ଏଲ୍‌ଆଣ୍ଡଟିର ୧୨୦କୋଟି ଟଙ୍କା ସରକାରଙ୍କ ଉପରେ ବାକି ପଡିଛି : ‘ନିର୍ମାଣ ସୌଧ’ରେ ଚଢଉ, ବିଭିନ୍ନ ସାମଗ୍ରୀ ଜବତ

ଭୁବନେଶ୍ବର/କଟକ: ଘରୋଇ ନିର୍ମାଣକାରୀ ସଂସ୍ଥା ଏଲ୍‌ଆଣ୍ଡଟି’ ସୁଧମୂଳ ସହ ୧୨୦କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡ଼ିଛି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ବାକି ଅର୍ଥ ପଇଠ ନକରିବା ଘଟଣା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣାରେ ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ ବାଣିଜ୍ୟ କୋର୍ଟ (ଖ)ର ଅଧିକାରୀମାନେ ରାଜ୍ୟ ସରକାରଙ୍କ ରୋଡ୍‌ ଆଣ୍ଡ୍‌ ବିଲ୍‌ଡିଂ (ଆର୍‌ଆଣ୍ଡବି) ବିଭାଗର ଭୁବନେଶ୍ବର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ‘ନିର୍ମାଣ ସୌଧ’ରେ ଚଢଉ କରି ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି । ଏହି ଚଢ଼ଉ କାର୍ଯ୍ୟ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିଥିଲା ।  କାର୍ଯ୍ୟାଳୟର ୯ଟି ଏସି, ୧୮ଟି କମ୍ପ୍ୟୁଟର, ୧୫ଟି ଆଲମାରୀ ଓ ୯ଟି ଟେବୁଲ୍‌ ଜବତ କରି ସାଙ୍ଗରେ ନେଇଛନ୍ତି । ଏହି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।

ମାମଲାର ବିବରଣୀ ଅନୁସାରେ, ଏଲ୍‌ଆଣ୍ଡଟି ପକ୍ଷରୁ ସମ୍ବଲପୁରରେ ଯେଉଁ ରାଜପଥ ନିର୍ମାଣ କରଯାଇଥିଲା ସେ ବାବଦରେ ୨୦ କୋଟି ଟଙ୍କା ରାଜ୍ୟ ସରକାର କମ୍ପାନୀକୁ ଦେବା ପାଇଁ ଆରବିଟେସନ୍‌ରେ ଫଇସଲା ହୋଇଥିଲା । ୨୦୦୪ ମସିହାରେ ଏହା ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟ ସରକାର ଏହି ଟଙ୍କା ନଦେଇ ପ୍ରଥମେ ଜିଲ୍ଲା ଜଜ୍‌, ପରେ ହାଇକୋର୍ଟ ଏବଂ ସେଠାରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ । କିନ୍ତୁ ସବୁଠାରୁ ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସୁପ୍ରିମ୍‌କୋର୍ଟରେ ରିଭ୍ୟୁ ପିଟିସନ୍‌ ମଧ୍ୟ ଖାରଜ ହୋଇଥିଲା । ଇତିମଧ୍ୟରେ ବାକି ଟଙ୍କା ସୁଧମୂଳ ମିଶି ୧୨୦ କୋଟିରେ ପହଞ୍ଚିଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ଏହି ଅର୍ଥ ପୈଠ ନକରିବାରୁ ଖୋର୍ଦ୍ଧା ଜିଲ୍ଲା ବାଣିଜ୍ୟକର ଅଦାଲତ ଆର୍‌ଆଣ୍ଡବିର ମୁଖ୍ୟ କାର୍ଯ୍ୟାଳୟ ‘ନିର୍ମାଣ ସୌଧ’ ସମ୍ପତ୍ତିକୁ ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଥିଲା ।

ଗୁରୁବାର ଅପରାହ୍ନ ସାଢ଼େ ୪ଟାରେ ସମସ୍ତ କାଗଜପତ୍ର ନେଇ କୋର୍ଟର କର୍ମଚାରୀମାନେ ପହଞ୍ଚିଥିଲେ ନିର୍ମାଣ ସୌଧର ଦ୍ବିତୀୟ ମହଲାରେ । ତା’ପରେ ଆରମ୍ଭ ହୋଇଥିଲା ସମ୍ପତ୍ତିର ମୂଲ୍ୟ ଆକଳନ । କୋର୍ଟର ଆଦେଶ କ୍ରମେ ଅଫିସ୍‌ରେ ଥିବା ୯ଟି ଏସି, ୧୮ଟି କମ୍ପ୍ୟୁଟର, ୧ଟି ଆଲମାରୀ ଓ ୯ଟି ଟେବୁଲ୍‌ ଜବତ କରି ସାଙ୍ଗରେ ନେଇଥିଲେ । ଯିବା ସମୟରେ ଏକ ଜିମାନାମା ନିର୍ମାଣ ସୌଧର କର୍ମଚାରୀ ଟି.ଏ. ରାଓଙ୍କୁ ଦେଇଥିଲେ । ଜିମାନାମାରେ ଉଲ୍ଲେଖ ରହିଛି କୋର୍ଟ ଯେଉଁ ସମୟରେ ଏ ସବୁ ଜିନିଷ ହାଜର କରିବାକୁ କହିବେ ସେବୁ ତୁରନ୍ତ ଏଠାକୁ ଫେରାଇ ଦିଆଯିବ । ଜବତ ହୋଇଥିବା କମ୍ପ୍ୟୁଟର ଓ ଆଲ୍‌ମାରିରେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ରହିଛି ।

ଏପ୍ରିଲ୍‌ ମାସରେ ବାଣିଜ୍ୟକର ଅଦାଲତର ଅଧିକାରୀମାନେ ନିର୍ମାଣ ସୌଧର କାର୍ଯ୍ୟାଳୟକୁ ଚଢଉ କରିବାକୁ ଯାଇ ଖାଲି ହାତରେ ଫେରି ଯାଇଥିଲେ । ସେମାନଙ୍କୁ ଉକ୍ତ କାର୍ଯ୍ୟାଳୟରେ ପୂରେଇ ଦିଆଯାଇନଥିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଗୁରୁବାର ପୁନର୍ବାର ପୋଲିସ ସହଯୋଗରେ ଏହି ଅଦାଲତର ଅଧିକାରୀମାନେ ସମ୍ପତ୍ତି ଜବତ ଲାଗି ନିର୍ମାଣ ସୌଧରେ ପହଞ୍ଚିଥିଲେ । ଚଢଉ ଘଟଣା ପରେ ଯଦି ରାଜ୍ୟ ସରକାର ଉକ୍ତ ଅର୍ଥ ପୈଠ ନକରନ୍ତି ତାହେଲେ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ଏହା ସତ୍ତ୍ବେ ବି ଯଦି ବକେୟା ଅର୍ଥ ଦିଆନଯାଏ ତାହେଲେ ‘ନିର୍ମାଣ ସୌଧ’ର ବିଭାଗୀୟ ମୁଖ୍ୟଙ୍କୁ ଗିରଫ କରାଯାଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com