ଓଡ଼ିଶା

ପନିପରିବା ଉତ୍ପାଦନରେ ଓଡ଼ିଶା ହେଉଛି ସ୍ୱାବଲମ୍ବୀ , ଦରକାରୀ ସ୍ଥାନରେ ନିର୍ମାଣ ହେବ ଛୋଟ ଶୀତଳ ଭଣ୍ଡାର

କୃଷି ଉତ୍ପାଦନରେ  ଓଡ଼ିଶା ଦିନକୁ ଦିନ ଆତ୍ମ ନିର୍ଭରଶୀଳ ହେଉଛି । ବିଶେଷ କରି ପନିପରିବା ଉତ୍ପାଦନରେ ରାଜ୍ୟ ରାଜ୍ୟ ସ୍ୱାବଲମ୍ବୀ ହେଉଛି । କିଛି ନିର୍ଦ୍ଧିଷ୍ଟ ଉତ୍ପାଦନରେ  ଓଡ଼ିଶା ପ୍ରଥମ ପାଞ୍ଚୋଟି ସ୍ଥାନରେ ରହିପାରିଛି । ଏକ୍ଷେତ୍ରରେ  କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଆଦି ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି ।  ବୁଧବାର ବିଧାନସଭାରେ ପନିପରିବା, ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ସରଗରମ ଆଲୋଚନା ହୋଇଛି । ରାଜ୍ୟରେ ଅନେକ କ୍ଷେତ୍ରରେ ଉତ୍ପାଦନ ଠିକଠାକ ଥିଲେ ବି  ବଜାର ଅଭାବରୁ ଚାଷୀ ଅଭାବୀ  ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲିଯାଉଛି । ଫଳରେ ଚାଷୀ କ୍ଷତିର ସମ୍ମୁଖୀନ ହୋଇ ପର ବର୍ଷ ଆଉ ଚାଷ କରିବାକୁ ମନ ବଳାଉ ନାହାନ୍ତି । ଏପରି ସ୍ଥିତିରେ ଅଧିକ ଶୀତଳ ଭଣ୍ଡାର  ନିର୍ମାଣ କରିବାକୁ ବିରୋଧୀ ଦଳ ଦାବି କରିଥିଲେ । ଏହାର ଉତ୍ତର ଦେଇ କୃଷି ମନ୍ତ୍ରୀ ରାଜ୍ୟରେ ପନିପରିବା ଉତ୍ପାଦନର ଏକ ହିସାବ ଦେବା ସହ ଏବେ  ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ଥିବା କହିଥିଲେ । ସେଥିରୁ ୯୮ଟି ବନ୍ଦ ଥିବା ବେଳେ ୩୩ଟି ଚାଲୁ ରହିଛି ।  ଆଉ ବଡ ବଡ ଶୀତଳ ଭଣ୍ଡାର କରାଯିବ ନାହିଁ ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା କୃଷି ମନ୍ତ୍ରୀ କହିଥିଲେ । ସେହିଭଳି ରାଜ୍ୟରେ ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା, ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନକୁ ବଣ୍ଟାଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ବାରା ଖତ ସାର ଯୋଗାଇ ଦିଆଯାଉଛି । କୃଷକମାନେ ଫସଲର ସଠିକ ପରିଚାଳନା କଲେ ହେକ୍ଟର ପିଛା ପିଜୁଳି ୧୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ ବୋଲି ମନ୍ତ୍ରୀ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com