ବ୍ରହ୍ମପୁର ଡାକ ମଣ୍ଡଳର ୭୫ ତମ ପ୍ରତିଷ୍ଠା ଦିବସ ତଥା ‘ହୀରକ ଜୟନ୍ତୀ’ ପାଳିତ
![](https://i0.wp.com/odia.mobilenews24x7.com/wp-content/uploads/2022/08/India-post-office.jpg?resize=780%2C470&ssl=1)
ଗଞ୍ଜାମ, ୦୨/୦୮/୨୦୨୨- ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଡାକ ମଣ୍ଡଳର ୭୫ ତମ ପ୍ରତିଷ୍ଠା ଦିବସ ତଥା ‘ହୀରକ ଜୟନ୍ତୀ’ ବ୍ରହ୍ମପୁର ହେଡ ପୋଷ୍ଟ ଅଫିସ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କର ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୋଲିସ୍ ଆଈ.ଜି ସତ୍ୟବ୍ରତ ଭୋଈ ଯୋଗ ଦେଇଥିଲେ। ୧୯୪୮ ମସିହା ଅଗଷ୍ଟ ପହିଲାରେ ବ୍ରହ୍ମପୁର ଡାକ ମଣ୍ଡଳର ପ୍ରତିଷ୍ଠା ହୋଇଥିଲା । ସେହି ବର୍ଷ ଠାରୁ କ୍ରମାନ୍ୱୟରେ ବ୍ରହ୍ମପୁର ଡାକ ମଣ୍ଡଳର ପ୍ରତିଷ୍ଠା ଦିବସ ପ୍ରତି ବର୍ଷ ପାଳିତ ହୋଇ ଆସୁଛି । ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ହୀରକ ଜୟନ୍ତୀ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଏନେଇ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ବ୍ରହ୍ମପୁର ଡାକ ମଣ୍ଡଳର ଶ୍ରେଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ। ବିଜେତାଙ୍କ ମଧ୍ୟରେ ଶ୍ରେଷ୍ଠ ଉପ ଡ଼ାକମଣ୍ଡଳ ଅଧିକାରୀ ଭାବେ ତତ୍କାଳୀନ ଛତ୍ରପୁର ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା, ଶ୍ରେଷ୍ଠ ପୋଷ୍ଟ ମାଷ୍ଟର ଭାବେ ସନ୍ତୋଷ କୁମାର ବେହେରା, ଶ୍ରେଷ୍ଠ ପୋଷ୍ଟାଲ ଆସିଷ୍ଟାଣ୍ଟ ଭାବେ ଶ୍ରୀରାମ ଜୟରାମ ମହାପାତ୍ର, ଶ୍ରେଷ୍ଠ ସିଷ୍ଟମ୍ ଆଡମିନିଷ୍ଟ୍ରେଟର ଭାବେ ପି. ଦୀପକ କୁମାର ପାତ୍ର, ଶ୍ରେଷ୍ଠ ମେଲ୍ ଓଭରସିୟର ଭାବେ ରଜନୀ କୁମାର ପାଢ଼ୀ, ଶ୍ରେଷ୍ଠ ମହିଳା ଗ୍ରାମୀଣ ଡାକ ସେବକ ଭାବେ ଏସ.ସ୍ବପ୍ନା କୁମାରୀ ପୃଷ୍ଟି, ଶ୍ରେଷ୍ଠ ଏମ.ଟି.ଏସ. ଭାବେ ବାଳକୃଷ୍ଣ ସାହୁ, ଶ୍ରେଷ୍ଠ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଦୟାନିଧି ସେଠୀ ପୁରସ୍କୃତ ହୋଇଥିଲେ । ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ସର୍ବାଧିକ ଆକାଉଣ୍ଟ ଖୋଲିବା ନିମନ୍ତେ ଗୋଷାଣୀ ନୁଆଗାଁ ସବ୍ ପୋଷ୍ଟ ମାଷ୍ଟର ପ୍ରଦୀପ୍ତ କୁମାର ସାହୁଙ୍କୁ ପ୍ରଥମ ପୁରସ୍କାର, ଭାଟକୁମରଡ଼ା ସବ୍ ପୋଷ୍ଟ ମାଷ୍ଟର ଏନ୍.ଗଙ୍ଗାଧର ରେଡ୍ଡୀଙ୍କୁ ଦ୍ଵିତୀୟ ପୁରସ୍କାର ଏବଂ ନବୀନ ସବ୍ ପୋଷ୍ଟ ଅଫିସର ସବ୍ ପୋଷ୍ଟ ମାଷ୍ଟର ସନ୍ତୋଷ କୁମାର ବେହେରାଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସର୍ଵମୋଟ ୪୫ ଜଣ ଡାକ କର୍ମଚାରୀ ପୁରସ୍କୃତ ହୋଇଥିଲେ। ଏହା ସହ ଜାତୀୟ ସ୍ତରରେ ‘ମେଘଦୂତ’ ପୁରସ୍କାର ପ୍ରାପ୍ତ ମର୍ଦ୍ଦକୋଟ ଶାଖା ଡାକପାଳ କୀର୍ତ୍ତନ ନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ଡାକ ଅଧୀକ୍ଷକ ମଧ୍ୟରେ ଚକ୍ରଧର ନାୟକ, ସଞ୍ଜୟ ଦୋରା, ସ୍ମିତା ମହାପାତ୍ର ଏବଂ ଡାକ ନୀରିକ୍ଷକଙ୍କ ମଧ୍ୟରେ ଗଙ୍ଗା ନାରାୟଣ ମହାଳିକ ଓ ଲିଙ୍ଗରାଜ ପ୍ରଧାନଙ୍କ ସମେତ ସମସ୍ତ ଡାକ କର୍ମଚାରୀ ତଥା ଶତାଧିକ ଗ୍ରାହକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉପସ୍ଥାପିକା ବନ୍ଦନା ମିଶ୍ର ସଞ୍ଚାଳନ କରିଥିବା ବେଳେ, ଜାତୀୟ ଡାକ କର୍ମଚାରୀ ସଂଘର ମଣ୍ଡଳ ଶାଖା ସମ୍ପାଦକ କେଦାର ନାଥ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡାକ ବିଭାଗର ସିନିୟର ଆକାଉଣ୍ଟସ୍ ଅଫିସର୍ ରାଧାକାନ୍ତ ସାବତ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ଅବସରପ୍ରାପ୍ତ ବରିଷ୍ଠ ଡାକ ଅଧୀକ୍ଷକ ଦିବାକର ପଟ୍ଟନାୟକ ଯୋଗ ଦେଇଥିଲେ ।