କ୍ରିପ୍ଟୋକରେନ୍ସିରେ ଆତଙ୍କବାଦୀଙ୍କୁ ଯୋଗାଯାଉଛି ପାଣ୍ଠି!
ବର୍ତ୍ତମାନ ସମୟରେ କ୍ରିପ୍ଟୋକରେନ୍ସି କାରବାର ଢେର ବଢିଯାଇଛି । ଲୋକେ ଏହି କ୍ରିପ୍ଟୋକରେନ୍ସି ଏବଂ ବିଟ୍ କଏନ୍ ଜରିଆରେ ଲକ୍ଷ ଲକ୍ଷ ଟଙ୍କା କମଉଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ୍ ତଥ୍ୟ । କ୍ରିପ୍ଟୋକରେନ୍ସି ଜରିଆରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଥିବା ଜଣାପଡିଛି । ଜମ୍ମୁ-କାଶ୍ମୀର ପୋଲିସର ରାଜ୍ୟ ଅନୁସନ୍ଧାନକାରୀ ଏଜେନ୍ସି (ଏଆଇଆଇ) ଗତ ବୁଧବାର ବିଟ୍ କଏନ୍ କାରବାର ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏହି ଚଢାଉ ସମୟରେ ତଦନ୍ତକାରୀ ଏଜେନ୍ସି ବିଭାଗ ହାତରେ ଲାଗିଛି ଡିଜିଟାଲ ଉପକରଣ, ସିମ୍ କାର୍ଡ, ମୋବାଇଲ ଫୋନ୍ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଯାହା ଆତଙ୍କବାଦୀଙ୍କୁ ବିଟ୍ କଏନ୍ ଜରିଆରେ ପାଣ୍ଠି ଜୋଗାଣକୁ ସୂଚାଉଛି ।
ଭାରତ ସରକାର କୌଣସି ପ୍ରକାରର କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେଇନାହିଁ । କେବଳ ଭାରତ କାହିଁକି, ସାରା ବିଶ୍ୱରେ ଅଧିକାଂଶ ଦେଶରେ କ୍ରିପ୍ଟୋ ନିୟନ୍ତ୍ରଣ କରିବା ନେଇ କୌଣସି ନିୟମ ନାହିଁ । ଲୋକମାନେ କିନ୍ତୁ ଏକ୍ଷେତ୍ରରେ ବଡ ଆକାରରେ ବିନିଯୋଗ କରୁଛନ୍ତି । ଭାରତରେ ବିଭିନ୍ନ କ୍ରିପ୍ଟୋକରେନ୍ସିରେ ମୋଟ ବିନିଯୋଗ ୧୫ଗୁଣ ବୃଦ୍ଧି ଘଟିଛି । ଏଫଏଟିଏଫ୍ ୨୦୨୦ର ନିର୍ଦ୍ଦେଶାବଳୀ ଅନୁଯାୟୀ, କିଛି ଦେଶ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଯାହାଫଳରେ ଡିଜିଟାଲ ମୁଦ୍ରାକୁ ଆତଙ୍କବାଦୀ ପାଣ୍ଠି ଯୋଗାଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବନାହିଁ । କିନ୍ତୁ ଭାରତରେ କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଠୋସ୍ ନିୟମ ନାହିଁ । ବର୍ତ୍ତମାନ ଦେଶର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆତଙ୍କବାଦୀଙ୍କୁ ମିଳୁଥିବା ପାଣ୍ଠିରେ କ୍ରିପ୍ଟୋକରେନ୍ସି ବ୍ୟବହାରର ପ୍ରମାଣ ପାଇସାରିଛି । ଆତଙ୍କବାଦୀ ଗୋଷ୍ଠୀଗୁଡିକ ମଧ୍ୟରେ କ୍ରିପ୍ଟୋକରେନ୍ସି ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି, କାରଣ ଏହା ମାଧ୍ୟମରେ କରାଯାଉଥିବା କାରବାରକୁ ଧରିବା ସହଜ କଥା ନୁହେଁ । ତେଣୁ ଏହାର ସୁଯୋଗ ନେଇ ଆତଙ୍କବାଦୀ ସଂଗଠନଗୁଡିକ ନୂତନ ଆତଙ୍କବାଦୀ ନିଯୁକ୍ତି, ଏବଂ ଅସ୍ତ୍ରଶସ୍ତ୍ର ପାଇଁ କ୍ରିପ୍ଟୋକରେନ୍ସିର ବ୍ୟବହାର କରୁଛନ୍ତି । ତେବେ ଆତଙ୍କବାଦୀ ପାଣ୍ଠି ପାଇଁ କ୍ରିପ୍ଟୋ ବ୍ୟବହାର ହେବାର ପ୍ରଥମ ମାମଲା ୨୦୨୦ରେ ରିପୋର୍ଟ କରାଯାଇଥିଲା ।
ତେବେ ଯଦି ଆତଙ୍କବାଦୀ ସଂଗଠନଗୁଡିକ କ୍ରିପ୍ଟୋ ବଜାରକୁ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି, ତାହେଲେ କ୍ରିପ୍ଟୋ କ୍ଷେତ୍ରରେ ନିବେଶ କରୁଥିବା ନିବେଶକଙ୍କୁ ବଡ ଝଟକା ଦେବ । ଏହା ସହିତ ଆତଙ୍କବାଦୀ ପାଣ୍ଠିରେ କ୍ରିପ୍ଟୋକରେନ୍ସିର ବ୍ୟବହାର ପ୍ରମାଣ କରୁଛିଯେ, ଏଥିରେ ବିନିଯୋଗ ହେଉଥିବା ଅର୍ଥ କେତେ ସୁରକ୍ଷିତ ।