ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ FBI ପକ୍ଷରୁ ଚଢ଼ାଉ
![](https://i0.wp.com/odia.mobilenews24x7.com/wp-content/uploads/2022/08/trump.jpg?resize=780%2C470&ssl=1)
ଫ୍ଲୋରିଡ଼ା, ୦୯/୦୮/୨୦୨୨- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ାଉ । ହ୍ୱାଇଟ୍ ହାଉସ୍ ଛାଡ଼ିବା ପରେ ଟ୍ରମ୍ପ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଫ୍ଲୋରିଡା ପଳାଇଥିବା ଅଭିଯୋଗରେ ଗୁଇନ୍ଦା ସଂସ୍ଥା FBI ପକ୍ଷରୁ ତାଙ୍କ ଫ୍ଲୋରିଡ଼ା ସ୍ଥିତ ଘର, ରିସର୍ଟ ଓ ଫାର୍ମ ହାଉସ୍ରେ ଚଢ଼ାଉ କରାଯାଇଛି । ସେ ଫ୍ଲୋରିଡାରେ ନ ଥିବାବେଳେ ଏହି ଚଢ଼ାଉ ହୋଇଛି । ମାର-ଏ-ଲାଗୋ ରିସର୍ଟରେ FBI ଅଧିକାରୀ ଚଢ଼ଉ କରି ଏହାକୁ ସିଜ୍ କରିବା ସହ ନିଜ କବ୍ଜାକୁ ନେଇଛନ୍ତି । ଏନେଇ ଟ୍ରମ୍ପ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ନିଜ ପ୍ରତିକ୍ରିୟାରେ- “ଏହା ଆମ ଦେଶ ପାଇଁ ଖରାପ ସମୟ । ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ସହ ଏମିତି କେବେ ବି ହୋଇନାହିଁ । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବା ପରେ ମଧ୍ୟ ନ୍ୟାୟ ବ୍ୟବସ୍ଥାର ଅପବ୍ୟହାର କରାଯାଇ ଚଢ଼ଉ କରାଯାଉଛି। ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ମୋତେ ରୋକାଯାଉଛି ” ବୋଲି ଟ୍ରମ୍ପ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଜଷ୍ଟିସ୍ ଡିପାର୍ଟମେଣ୍ଟ ଓ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ବୟାନ ଦିଆଯାଇ ନାହିଁ । ଜଷ୍ଟିସ୍ ଡିପାର୍ଟମେଣ୍ଟ ଟ୍ରମ୍ପଙ୍କ ବିରୋଧରେ ୨ଟି ମାମଲାର ଯାଞ୍ଚ କରୁଛି । ପ୍ରଥମ ମାମଲାଟି – ୨୦୨୦ ମସିହାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଗଡ଼ବଡ଼ କରିବା ଓ ଦ୍ୱିତୀୟ ମାମଲା- କାଗଜପତ୍ର ସମ୍ଭାଳିବା ସମ୍ପର୍କିତ ଘଟଣା ।