ଆଜାଦଙ୍କ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ପୁଣି ଥରେ ଆନନ୍ଦ ଶର୍ମାଙ୍କ ଇସ୍ତଫା କଂଗ୍ରେସକୁ ବଡ଼ ଝଟକା ଦେଇଛି। କୁହାଯାଉଛି ଯେ ଆନନ୍ଦ ଶର୍ମା ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି। ଚିଠିରେ କଂଗ୍ରେସ ନେତା ଆନନ୍ଦ ଶର୍ମା ଲେଖିଛନ୍ତି ଯେ ମୁଁ ମୋର ଆତ୍ମ ସମ୍ମାନକୁ ନେଇ ଆପୋଷ ବୁଝାମଣା କରିପାରିବି ନାହିଁ। ତେବେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଏଭଳି କରିଥିବା କୁହାଯାଉଛି। ଏହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।