ଜାତୀୟରାଜନୀତି

‘ରାଜପୁତ’ କାର୍ଡ ଖେଳିଲା ଆପ୍‌

ଅବକାରୀ ନୀତିରେ କଥିତ ଦୁର୍ନୀତିକୁ ନେଇ ସିବିଆଇର ଟାର୍ଗେଟ୍‌ରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍ ନୋଟିସ୍ ମଧ୍ୟ ଜାରି କରି ସାରିଛି। ଘଟଣାକୁ ନେଇ ବିଜେପି ଏବଂ ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ଏହିକ୍ରମରେ ସିସୋଦିଆଙ୍କୁ ନେଇ ଆପ୍ ଜାତିବାଦ କାର୍ଡ ଖେଳିଛି। ପାର୍ଟି ସିସୋଦିଆଙ୍କ ବାହାନାରେ ରାଜପୁତଙ୍କୁ ନିଜ ଆଡକୁ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସିସୋଦିଆଙ୍କୁ ମହାରାଣା ପ୍ରତାପଙ୍କ ବଂଶଜ ଦର୍ଶାଇ ପାର୍ଟି ଗୁଜରାଟରେ ରାଜପୁତଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଚଳାଇଛି। ଆପ୍ ସାଂସଦ ସଞ୍ଜୟ ସିଂହ ସିସୋଦିଆଙ୍କୁ ମହାରାଣା ପ୍ରତାପଙ୍କ ବଂଶଜ କହି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଟାର୍ଗେଟ୍ କରିଥିଲେ। ଅନୁରାଗ କହିଥିଲେ, ମନୀଷଙ୍କ ନାମର ସ୍ପେଲିଙ୍ଗ୍ MONEY SHH ହୋଇ ଯାଇଛି। ଗୁଜରାଟର ନେତା ତଥା ଆପର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଇସୁଦାନ ଗଢବି ମଧ୍ୟ ଏହାକୁ ନେଇ ଟୁଇଟ୍ କରିଛନ୍ତି, ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରିଟୁଇଟ୍ କରିଛନ୍ତି।

ଇସୁଦାନ କହିଛନ୍ତି, ମହାରାଣା ପ୍ରତାପଙ୍କ ବଂଶଜ ମନୀଷ ସିସୋଦିଆ ଜୀଙ୍କୁ ମିଥ୍ୟା ଅଭିଯୋଗରେ ବିଜେପି ହଇରାଣ କରୁଛି। ଏହି କାରଣରୁ ଗୁଜରାଟର ରାଜପୁତ ଯୁବ ବର୍ଗଙ୍କ ମଧ୍ୟରେ କ୍ରୋଧର ମାହୋଲ ରହିଛି। ଆଗାମୀ କିଛି ଦିନରେ ୫୦୦୦ରୁ ଅଧିକ ରାଜପୁତ ଆପ୍‌ରେ ଯୋଗ ଦେବେ। କେଜ୍ରିଓ୍ଵାଲ ମଧ୍ୟ ଏହି ଟୁଇଟ୍‌କୁ ରିଟୁଇଟ୍ କରି ଲେଖିଛନ୍ତି, ମନୀଷ ଜୀଙ୍କ ଉପରେ ଚଢାଉକୁ ନେଇ ସମଗ୍ର ଦେଶରେ ଜନତାଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ରହିଛି। ବଡ ସଂଖ୍ୟାରେ ଲୋକେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com