ବାଣିଜ୍ୟ

କୃଷ୍ଣଙ୍କୁ ସହାୟତାର ହାତ ବଢ଼ାଇଲେ ୮୫ ବର୍ଷୀୟ ବୃଦ୍ଧ

ବ୍ରହ୍ମପୁର, ୨୨/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର କୃଷ୍ଣଚନ୍ଦ୍ର ଭୂୟାଁ  ଯକୃତ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦ ସ୍ଥିତ ଏ.ଆଇ.ଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୃଷ୍ଣଙ୍କ ସୁସ୍ଥ ହେବାର ଏକ ମାତ୍ର ମାଧ୍ୟମ ହେଉଛି ଯକୃତ ପ୍ରତିରୋପଣ । ଏ ନେଇ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା ଖର୍ଚ୍ଚ କରି ଯକୃତ ପ୍ରତିରୋପଣ କରିବା କୃଷ୍ଣଙ୍କ ପରିବାର ପକ୍ଷରେ ସମ୍ଭବପର ନୁହେଁ। ଏ ନେଇ ସେ ସହାୟତା ପାଇଁ ନିବେଦନ କରିଥିଲେ । ଖବର କାଗଜରୁ ପଢ଼ି ଦୁର୍ଯ୍ୟୋଧନ ପାତ୍ର ନାମଙ୍କ ଜଣେ ୮୫ ବର୍ଷୀୟ ବୃଦ୍ଧ ରବିବାର କୃଷ୍ଣଙ୍କ ଗାଁ କୁ ଆସି ତାଙ୍କ ପରିବାର ବର୍ଗଙ୍କୁ ଭେଟି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଦୁର୍ଯ୍ୟୋଧନଙ୍କ ଜନ୍ମସ୍ଥାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ହୋଇଥିବା ବେଳେ ତାଙ୍କର ପରିବାରବର୍ଗ ରହୁଛନ୍ତି ବର୍ତ୍ତମାନ ବ୍ରହ୍ମପୁର ଅନ୍ତର୍ଗତ ଯୋଗିଆପଲ୍ଲୀ ଅଞ୍ଚଳରେ । ଦୁର୍ଯ୍ୟୋଧନ ପୁର୍ବରୁ ସରକାରୀ ଚାକିରି କରୁଥିଲେ । ସେ ବର୍ତ୍ତମାନ ପେନସନ୍ ପାଉଛନ୍ତି । ପେନସନ୍ ଟଙ୍କା ଯାହା ମିଳିଛୁ ନିଜ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା ରଖି ବଳକା ଟଙ୍କା ଏ ଭଳି ସମାଜସେବାରେ ଖର୍ଚ୍ଚ କରୁଛନ୍ତି । ଏକ  ମୋଟର ସାଇକେଲରେ ସେ ବିଭିନ୍ନ ସ୍ଥାନକୁ ଯାଇ ଅସହାୟ ମାନଙ୍କୁ ସହାୟତା କରନ୍ତି । ତାଙ୍କ କାନକୁ ଶୁଭୁ ନ ଥିବା ବେଳେ ବିଭିନ୍ନ ସ୍ଥାନକୁ ଯିବା ବେଳେ ମଧ୍ୟ ବେଳେବେଳେ ସେ ଦୁର୍ଘଟଣାର ଶିକାର ହେଉଥିବାର ଦେଖିବାକୁ ମିଳିଛି । ସମୟ ସମୟେ ରୋଷେଇ କରି ନ ପାରି ଚକଲେଟ୍ ଖାଇ ନିଜର ଭୋକ ମେଣ୍ଟାଉଥିବା ବେଳେ ଏସବୁକୁ ସେ ଖାତିର୍ ନ କରି ସମାଜ ସେବା କାମକୁ ସେ ନିଜର ବ୍ରତ ବୋଲି ଧରି ନେଇଛନ୍ତି । ସେ ନିଜର ସମାଜସେବା କାର୍ଯ୍ୟ ପାଇଁ ବହୁ ସମୟରେ ପ୍ରଶଂସିତ ହୋଇଛନ୍ତି । ଦୁର୍ଯ୍ୟୋଧନଙ୍କ ଏ ଭଳି ମହାନ୍ କାର୍ଯ୍ୟପାଇଁ ତାଳସର ସମିତି ସଭ୍ୟ ମାଧବ ରାଉତ ତାଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com