ବାଣିଜ୍ୟ

OUATର ବିହନ ଏବେ ସବୁ ରାଜ୍ୟରେ ଚାଷ ହେବ

ଭୁବନେଶ୍ୱର, ୨୮/୧୨/୨୦୨୨-   ଓଡ଼ିଶାର ବିହନ ଏବେ ସବୁ ରାଜ୍ୟରେ ଚାଷ ହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଦ୍ୱାରା ବିକଶିତ ବିହନକୁ ଜାତୀୟ ବଜାରରେ ଉପଲବ୍ଧ କରାଯିବ । ଏଥିପାଇଁ ଜାତୀୟ ବିହନ ନିଗମ (NSC) ଏବଂ OUAT ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ NSC, OUATର ଉତ୍ପାଦଗୁଡ଼ିକୁ ବଜାରରେ ଉପଲବ୍ଧ କରାଇବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର ଗବେଷଣା  ପାଇଁ ନିଗମ ସହାୟତା ମଧ୍ୟ ପ୍ରଦାନ କରିବ ।

NSCର ଟେଣ୍ଡର ତଥା ଚାହିଦା ଅନୁଯାୟୀ OUAT ବିହନ ଯୋଗାଇବ । ଏଥି ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ‘OUAT କୃଷି କଳିଙ୍ଗ ଗବେଷଣା ପରିଷଦ’ ନାମରେ ଏକ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରାଯାଇଛି । ‘OUAT କଳିଙ୍ଗ’ ନାମରେ ଉତ୍ପାଦଗୁଡ଼ିକ ଜାତୀୟ ବଜାରରେ ଉପଲବ୍ଧ ହେବ। ରାଜ୍ୟ ବିହନ ନିଗମ ପୂର୍ବରୁ ବିଶ୍ୱବିଦ୍ୟାଳୟର ବିହନକୁ ରାଜ୍ୟର ଚାଷୀଙ୍କ ମଧ୍ୟରେ ଆବଣ୍ଟନ କରୁଥିଲା, ଏଣିକି ଅନ୍ୟ ରାଜ୍ୟର ଚାଷୀ OUAT ଦ୍ୱାରା ବିକଶିତ ବିହନକୁ ନେଇ ଚାଷ କରିବେ।

ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ମାନ ବୃଦ୍ଧି ହେବା ସହ ଜାତୀୟସ୍ତରରେ ରାଜ୍ୟ ସ୍ୱତନ୍ତ୍ର ପରିଚିତି ହାସଲ କରିବ । ଜାତୀୟ ବଜାରରେ OUAT ଏକ ପରିବ୍ୟାପ୍ତ ବଜାର ସୁବିଧା ପାଇବ । ଯାହାକି ବିଶ୍ୱବିଦ୍ୟାଳୟର ଆୟ ବୃଦ୍ଧି କରିବା ସହ ଗବେଷଣା ମାନ ବୃଦ୍ଧି ଓ ଭିତ୍ତିଭୂମିକୁ ମଧ୍ୟ ଅଧିକ ସଶକ୍ତ କରାଇବ । ସମସ୍ତ ଉତ୍ପାଦିତ ଶସ୍ୟର ଦର OUAT କୃଷି କଳିଙ୍ଗ ଗବେଷଣା ପରିଷଦ ସଦସ୍ୟଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ । OUAT ଏଯାବତ୍‍ ଧାନ ସହିତ, କ୍ଷୁଦ୍ର ଶସ୍ୟ, ଡାଲି ଯାତୀୟ ଫସଲ, ମାଣ୍ଡିଆ, ଯଅ, ମକା, ଆଖୁ, ସୁଆଁ, ସୋରିଷ ଓ ବିଭିନ୍ନ ପନିପରିବା ଆଦି ୧୭୧ କିସମର ବିହନ ବିକଶିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com