ବାଣିଜ୍ୟ

RBIର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଏଣିକି ଆଉ Debit Card ଦରକାର ନାହିଁ, ପ୍ରତ୍ୟେକ ATMରେ ରହିବ Cardless Cash Withdrawal ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ଫ୍ରଡ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ୟୁପିଆଇ ସହାୟତାରେ ବିନା କାର୍ଡରେ ଅର୍ଥ ଉଠାଣ କରିହେବ । ଆଗକୁ ସମସ୍ତ ବ୍ୟାଙ୍କର ଏଟିଏମରେ ଏହି ସୁବିଧା ଉପଲବ୍ଧ ହେବ । ପୂର୍ବରୁ କେବଳ ଅଳ୍ପସଂଖ୍ୟକ ଏଟିଏମରେ କାର୍ଡଲେସ୍ ଉଠାଣ ସୁବିଧା ରହିଥିଲା । ଏହାଦ୍ୱାରା କାର୍ଡ କ୍ଲୋନିଂ, କାର୍ଡ ସ୍କିମିଂ ପରି ସମସ୍ୟାକୁ ଦୂରେଇବାରେ ସହାୟକ ହେବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

କାର୍ଡଲେସ୍ ଉଠାଣ ସୁବିଧା ଲାଗୁ ହେବା ଦ୍ୱାରା ଜଣେ ଏଟିଏମରୁ ବିନା ଡେବିଟ୍ କାର୍ଡରେ ଅର୍ଥ ଉଠାଣ କରିପାରିବ । ଏଥିରେ ଆପଣମାନେ ଦିନକୁ ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୦ ହଜାର ପର୍ଯ୍ୟନ୍ତ ବା ମାସକୁ ୨୫ ହଜାର ଟଙ୍କା ଉଠାଇ ପାରିବେ । ଅର୍ଥ ଉଠାଣ ଲିମିଟକୁ ନେଇ ରେଗୁଲେଟରୀ ଆଧାରରେ ନିଷ୍ପତ୍ତି ନିଆଯିବ ।

ସାଧାରଣ ଭାବେ ବିନା କାର୍ଡରେ କ୍ୟାଶ ଉଠାଣ ମୋବାଇଲ ଆପ ମାଧ୍ୟମରେ କରାଯାଇଥାଏ । ଏହି ସିଷ୍ଟମ ଓଟିପି ଜରିଆରେ କାମ କରିଥାଏ । କ୍ୟାଶ ଉଠାଣ ପାଇଁ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲକୁ ଏକ ଓଟିପି ପଠାଯାଇଥାଏ । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ ଏଟିଏମରେ କାର୍ଡଲେସ ଉଠାଣ ସୁବିଧା ଉପଲବ୍ଧ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com