ବ୍ରହ୍ମପୁର, ୨୫ /୦୮/୨୦୨୨- ଚିକିଟି ନିର୍ବାଚନ ମଣ୍ଡଳୀର ସୋନପୁରରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶାର ଅନିଶ୍ଚିତ ବିକାଶରେ ଦାରିଦ୍ର୍ୟ , ବେକାରୀ , ସାମାଜିକ ଅସ୍ଥିରତା ସାଙ୍ଗକୁ ଦୁର୍ନୀତି ଏବଂ ଦରବୃଦ୍ଧିରେ ଅତିଷ୍ଟ ସାଧାରଣ ଜନତା ବିକଳ୍ପର ସନ୍ଧାନରେ ଥିବା ବେଳେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାବଧାରାରେ ଅନୁପ୍ରାଣିତ ହେଉଥିବା ପରିଲକ୍ଷିତ ହେଉଛି । ଏହାକୁ ଆଖିରେ ରଖି ଓଡ଼ିଶାରେ ଆପ୍ ପକ୍ଷରୁ ସଂଗଠନକୁ ସୁଦୃଢ଼ କରାଯାଇଥିବା ବେଳେ ଜିଲ୍ଲା ଓ ବ୍ଲକ ସ୍ତରରେ ସଂଗଠନକୁ କ୍ରିୟାଶୀଳ କରାଯାଉଥିବା ଜଣାଯାଇଛି । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋନପୁର ବେଳାଭୂମିରେ ଆମ୍ ଆଦମୀ ପାର୍ଟିର ଏକ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ଆମ୍ ଆଦମୀ ପାର୍ଟିର ୧୬ ନଂ ଜୋନ୍ ଦାୟିତ୍ଵରେ ଥିବା ଗୋବିନ୍ଦ ବେହେରା ପୌରହିତ୍ୟ କରିଥିଲେ । ଜିଲ୍ଲା ଆବାହକ ସୁବାସ ରାଉତ ଏବଂ ତତ୍ତ୍ୱାବଧାରକ ନିତ୍ୟାନନ୍ଦ ସାହୁଙ୍କ ଦ୍ଵାରା ସଭା ପରିଚାଳନା ହୋଇଥିଲା । ଚିକିଟି ପ୍ରଭାରୀ ଏବଂ ଜିଲ୍ଲା ଉପାଧ୍ୟକ୍ଷ ସୁଧିର କୁମାର ପ୍ରଧାନ ଦଳକୁ ଅଗ୍ରସର କରାଇବା ଏବଂ ସଂଗଠନକୁ ମଜବୁତ କରିବା ନେଇ କର୍ମୀଙ୍କୁ ଅନୁପ୍ରାଣିତ କରିଥିଲେ ।