Featuredଓଡ଼ିଶା

ବାଳୁତ ବୟସରେ ଦାଦନ, ବୁଢା କାଳେ ଫେରିଲେ ଗୋବର୍ଦ୍ଧନ

ପାରଳାଖେମୁଣ୍ଡି: ହସିବା ଖେଳିବା ବୟସରେ ଗୋଡ଼ରେ ବେଡ଼ି ବାନ୍ଧି ଦେଲା ଆର୍ଥକ ଅନାଟନ । ପରିବାର ଚଳାଇବାର ଦାୟିତ୍ୱ ଲଦି ହୋଇଗଲା କୁନି କାନ୍ଧରେ । ଏଥି ପାଇଁ ମାତ୍ର ୧୨ ବର୍ଷ ବୟସରେ ଛାଡ଼ିବାକୁ ହେଲା ଗାଁ ପରିବାର ।

ପଡ଼ୋଶୀ ରାଜ୍ୟରେ ପହଞ୍ଚି ଆରମ୍ଭ ହେଲା ଦାଦନ ଜୀବନ । କିନ୍ତିୁ ବୋଝ ଉପରେ ନଳିତା ବିଡ଼ା ପରି ଏତିକିରେ ସରିଲା ନାହିଁ ଦୁଃଖ । ବିଭିନ୍ନ ସ୍ଥାନରେ ଖଟିବା ପରେ ବି ମେଣ୍ଟିଲା ନାହିଁ ଗୁଜୁରାଣ । ଏ କାହାଣୀ କେଉଁ ଫିଲ୍ମର ନୁହେ । ୟେ ଜଣେ ଦାଦନ ଶ୍ରମିକ ଜୀବନର ନିଚ୍ଛକ ସତ । ଏ କାହାଣୀ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁହାଗୁଡ଼ି ଗ୍ରାମର ଗୋବର୍ଦ୍ଧନ ଲୋହରାଙ୍କ କଥା । ଛୋଟ ବେଳୁ ଦାଦନ ଖଟିବା ପାଇଁ ମଧ୍ୟପ୍ରଦେଶର ହୋସାଙ୍ଗାବାଦ୍ ଜିଲ୍ଲାରବାଣାପୁର ଅଞ୍ଚଳରେ ପହଞ୍ଚିଥିଲେ । ଏପଟେ ଘରଲୋକ ଓ ସମ୍ପର୍କିୟ ଖୁବ୍ ଖୋଜାଖୋଜି କରିଥିଲେ କିନ୍ତୁ କିଛି ଫଳ ମିଳିଲାନି । କିନ୍ତୁ ଦଇବ ଦାଉ ସାଧିବା ଭଳି ଘର ଛାଡ଼ି ଦାଦନ ଖଟିଲେ ସତ କିନ୍ତୁ ସେଠାରେ କାମ କରି ମଧ୍ୟ ଠିକ୍‌ରେ ମିଳୁନଥିଲା ପାଉଣା ।

ଏହାପରେ ଗୋବର୍ଦ୍ଧନ ମନସ୍ଥ କଲେ କିଛି ଓଡ଼ିଆ ଦାଦନଙ୍କ ସହ ଓଡ଼ିଶା ଫେରିଯିବେ । କିନ୍ତୁ ଟ୍ରେନ୍‌ରେ ଯିବା ପାଇଁ ପାଖରେ ନଥିଲା ପଇସା । ହେଲେ ବି ସାହସ କରି ଚଢିଗଲେ ଟ୍ରେନ୍‌ରେ, କିନ୍ତୁ ଟିଟି ତାଙ୍କୁ ଧରିବା ପରେ ଟ୍ରେନ୍‌ରୁ ଓହ୍ଲାଇ ନାଗପୁର ଷ୍ଟେସନରେ ବସାଇ ଦେଇଥିଲେ । ଏହା ପରେ ସାଥିମାନଙ୍କଠାରୁ ଅଲଗା ହୋଇ ଦୀର୍ଘ ୧୫ ଦିନ ପଡ଼ି ରହିଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ପାଗଳ ଭାବି ପାଗଳଖାନାରେ ଭର୍ତ୍ତି କରିଦେଇଥିଲେ । କିନ୍ତୁ ଏହା ପରେ ଜୀବନ ନେଲା ନୂଆ ମୋଡ଼ । ଜଣା ପଡ଼ିଲା ଗୋବର୍ଦ୍ଧନ ପାଗଳ ନୁହଁନ୍ତି । ତାପରେ ତାଙ୍କୁ ପାଗଳଖାନାରୁ ବାହାର କରିଦିଆଗଲା । ଆଉ ସ୍ଥାନୀୟ ଲୋକେ ତାଙ୍କ ପାଇଁ ଏକ ହୋଟେଲରେ କାମ ବୁଝିଦେଲେ ।

ଆଉ ଏହା ପରେ ଗୋବର୍ଦ୍ଧନ ଭୁଲିଗଲେ ଗାଁ ପରିବାର । ପରିବାର ଲୋକ ବି ତାଙ୍କୁ ଆଉ ଫେରି ପାଇବେ ବୋଲି ମନରୁ ସବୁ ଆଶା ପାଶୋରି ଦେଇଥିଲେ । ଏପଟେ ଗୋବର୍ଦ୍ଧନ ବାହା ହୋଇ ସଂସାର କରିସାରିଥିଲେ । ଝିଅ ବାହାଘର କରି ନାତି ବି ଦେଖି ସାରିଛନ୍ତି । କିନ୍ତୁ ବୟସର ଅପରାହ୍ନରେ ପହଞ୍ôଚବା ପରେ ହଠାତ୍ ଗୋବର୍ଦ୍ଧନଙ୍କର ମନେ ପଡ଼ିଯାଇଥିଲା ନିଜ ଗାଁ ଆଉ ନିଜ ଲୋକଙ୍କ କଥା । ନିଜ ଭିତରେ ଚାପି ଦେଇଥିବା ପରିବାର ତଥା ଗାଁ ଛାଡ଼ିବାର ଦୁଃଖକୁ ଆଉ ସେ ସମ୍ଭାଳି ପାରି ନଥିଲେ । ଶେଷରେ ମନସ୍ଥ କଲେ ଗାଁକୁ ଯିବେ । ଆଉ ସେତେବେଳେ ତାଙ୍କୁ ବୟସ ହୋଇଯାଇଥିଲା ୭୨ ବର୍ଷ । ଯେତେବେଳେ ଗାଁର ମାଟିରେ ପାଦ ଦେଲେ ସେତେବେଳେ ଗୋବର୍ଦ୍ଧନଙ୍କ ଖୁସିର ସୀମା ଆଉ ରହିନଥିଲା । ଗାଁ ଲୋକେ ବି ଖୁବ୍ ଖୁସି ହୋଇ ଯାଇଥିଲେ ୬୦ ବର୍ଷ ପରେ ଗାଁର ଗୋବର୍ଦ୍ଧନଙ୍କୁ ପାଖରେ ପାଇ । ବନ୍ଦାପନା ସହ ବାଜା ବଜାଇ କରିଥିଲେ ଗୋବର୍ଦ୍ଧନଙ୍କ ସ୍ୱାଗତ । ସେଥି ପାଇଁ ତ କବି ସଚ୍ଚି ରାଉତରା କହିଥିଲେ ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁ ଟି । ନିଜ ଗାଁ, ନିଜମାଟି ଆଦରି ନେବାରେ ଯେଉଁ ଆନନ୍ଦ ତାହା ଆଉ କେଉଁଠି ମିଳିବନି । ଗୋବର୍ଦ୍ଧନ ନିଜ ମାଟିରେ ଏବେ ବେଶ୍ ଖୁସିରେ ।

Related Articles

Back to top button
WP Twitter Auto Publish Powered By : XYZScripts.com