ବାଣିଜ୍ୟ

ଗଞ୍ଜାମ ଜିଲ୍ଲାରେ ପେନସନ ଅଦାଲତ ଉଦ୍ଘାଟିତ

ଛତ୍ରପୁର, ୨୬/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର , ଓଡିଶା ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ସ୍ଥାନୀୟ ‘ଋଷିକୂଲ୍ୟା’ ଡିଆଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଦ୍ୱାରା ଉଦଘାଟିତ ଏହି ଉତ୍ସବରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା ଖେସ, ଉପ ମହାଲେଖାକାର (ପେନସନ ) ଶ୍ରୀମତୀ ଏସ. ଅରୁଣା, ସମ୍ମାନୀୟ ଅତିଥିଭାବେ ଯୋଗଦେଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ପ୍ରାପ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ ନେଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ଯାହାଫଳରେ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ଭୁବନେଶ୍ୱର ଦୌଡିବାକୁ ପଡିବ ନାହିଁ ।

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ପେନସନ ମଞ୍ଜୁରକର୍ତ୍ତା ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପଠାଯାଉ ନଥିବାରୁ ପେନସନରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନସନ କାଗଜ ପତ୍ର ଏ. ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରୁ ନାହାନ୍ତି । ସେମାନଙ୍କର ପେନସନ କାଗଜ ପତ୍ର ଯଦି ଏହି ଅଦାଲତରେ ଉପସ୍ଥାପିତ କରାଯାଇପାରିବ ସେମାନେ ଆସନ୍ତା ସାତ ଦିନ ମଧ୍ୟରେ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇପାରିବ ବୋଲି ଉପମାହାଲେଖକର ସୁଶ୍ରୀ ଅରୁଣା କହିଥିଲେ ।

ଏହି ଅବସରରେ  ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ, ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ଅତିରିକ୍ତ ଜିଲ୍ଲାପାଳ ୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟର ମଞ୍ଜୁରୀ ଆଦେଶ ପ୍ରଦାନ କରିଥିଲେ । ବରିଷ୍ଠ ଲେଖା ଅଧିକାରୀ ନାଗେଶ ରାଓ ଓ ମନୋରଞ୍ଜନ ପାଣିଗ୍ରାହୀ ଏହି ପେନସନ ଅଦାଲତ ପରିଚାଳନା କରିବା ସହ ନୂଆ ପଦ୍ଧତି ଅନଲାଇନ ମାଧ୍ୟମରେ କିପରି ପେନସନ କାଗଜ ଏ. ଜି କାର୍ଯ୍ୟାଳୟକୁ କିପରି ପଠାଯାଇପାରିବ ତା ଉପରେ ମଂଜୁରକର୍ତ୍ତାମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ଆୟୋଜିତ ତାଲିମ କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ୨୨ ଟି ପଞ୍ଚାୟତ ସମିତିର ୩୫୦ ଜଣ ଡିଡିଓ ତାଲିମ ଗ୍ରହଣ କରିଥିଲେ । ଏହି ଅଦାଲତକୁ ସହକାରୀ କଲ୍ୟାଣ ଅଧିକାରୀ ସୁଦର୍ଶନ ସାହୁ, କଲ୍ୟାଣ କୁମାର ପଣ୍ଡା, ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ପ୍ରତିଷ୍ଠାନ ଅଧିକାରୀ ଲଷ୍ମୀନାରାୟଣ ପାଣିଗ୍ରାହୀ, ନିରଞ୍ଜନ ଚୌଧୁରୀ, ଚନ୍ଦ୍ରଶେଖର ବେହେରା ଓ ପାପୁନ କୁମାର ପଢିଆରି ପରିଚାଳନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com