ଜାତୀୟ

ମାତ୍ର ୧୨ସେକେଣ୍ଡରେ ମାଟିରେ ମିଶିବ ଟୁଇନ୍ ଟାଓ୍ୱାର

ରବିବାର ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର । ମାତ୍ର ୧୨ ସେକେଣ୍ଡ ଭିତରେ ୧୦୩ ମିଟର ଉଚ୍ଚ ବିଶାଳ କୋଠା ଭଙ୍ଗାଯିବ । ବେଆଇନ ଭାବେ ନିର୍ମିତ ଏହି କୋଠାକୁ ଭାଙ୍ଗିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଏହାକୁ ଭାଙ୍ଗିବା ପାଇଁ ବ୍ୟବହାର ହେବ ୩ ହଜାର ୭ ଶହ କିଲୋଗ୍ରାମ ଓଜନର ବିସ୍ଫୋରକ । ଦିନ ୨ଟାରେ ବାଜିବ ସାଇରନ୍ । ୩ଥର ସାଇରନ୍ ପରେ ଘଣ୍ଟାରେ ଦିନ ୨.୩୦ମିନିଟ ବାଜିବା ମାତ୍ରେ ରିମୋର୍ଟ ସୁଇଚ୍ ଦବାଇ ଦିଆଯିବ । ଏହାପରେ ୧୨ ସେକେଣ୍ଡ ଧରି କିଛି ବିସ୍ଫୋରଣ ହେବ । ଟୁଇନ୍ ଟାୱାରଠାରୁ ମାତ୍ର ୯ମିଟର ଦୂରରେ ହାଉସିଂ ସୋସାଇଟି ଯେଉଁଥିରେ ୬୬୦ ପରିବାର ରୁହନ୍ତି । ମାତ୍ର ୧୯ମିଟର ଦୂରରେ ମାଟି ତଳେ ଯାଇଛି ଗ୍ୟାସ୍ ପାଇପ୍ ।

ଟୁଇନ ଟାୱାରକୁ ଭାଙ୍ଗିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଲାଗିଛି ୧୮୧ ଦିନ । ଏଥିପାଇଁ ବ୍ୟବହାର ହେବ ଇମ୍ପ୍ଲୋଜନ୍ ଟେକନିକ୍ । ଏମିତି ବିସ୍ଫୋରଣ ଯେଉଁଥିରେ ଟାୱାର ଭାଙ୍ଗିବା ପରେ ଭଗ୍ନାଂଶ ସବୁ ବାହାରକୁ ଛିଟିକି ପଡିବନି । ଏହାକୁ ଭାଙ୍ଗିବା ଲାଗି ମୁମ୍ବାଇର ଏଡିଫିସ୍ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍ ଡିମୋଲିସନ୍ସ୍ କୁ ମିଳିଛି କଣ୍ଟ୍ରାକ୍ଟ । ଟୁଇନ ଟାୱାର ଭାଙ୍ଗିବା ଯୋଜନାକୁ ରୂପ ଦେବା ଲାଗି ଗତ ୨୧ଫେବୃଆରୀରୁ ୩୫୦ ଶ୍ରମିକ ଏବଂ ୧୦ଜଣ ଇଞ୍ଜିନିୟର କାମରେ ଲାଗିଥିଲେ । ଦେଶରେ ଏତେ ବଡ କୋଠାକୁ ପ୍ରଥମଥର ପାଇଁ ଭଙ୍ଗା ଯାଉଛି । ବ୍ଲାଷ୍ଟ ଆଗରୁ ରବିବାର ସକାଳ ୭ଟାରୁ ଆଖପାଖ ୫ଶହ ମିଟର ଭିତରେ ଥିବା ସମସ୍ତ ୧୩୯୬ ଫ୍ଲାଟ୍ସକୁ ଖାଲି କରିଦିଆଯାଇଛି । ଟାୱାରର ୧୦କିଲୋମିଟର ଇଲାକାକୁ ନୋ-ଫ୍ଲାଇଙ୍ଗ ଜୋନ୍ କରି କରିଦିଆଯାଇଛି । ଆଖପାଖ ସବୁ ରାସ୍ତାରେ ଯାତାୟତ ବନ୍ଦ କରି କରିଦିଆଯିବା ସହ ଯମୁନା ଏକ୍ପପ୍ରେସ୍ କୁ ୧ଘଣ୍ଟା ବନ୍ଦ କରି କରିଦିଆଯାଇଛି।

ତେବେ  ଟୁଇନ୍ ଟାୱାର ଭାଙ୍ଗିବା ପରେ ପ୍ରାୟ ୪କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯିବ ଧୂଳିର ମୋଟା ପରସ୍ତ । ସେଥିପାଇଁ କୋଠା ଭାଙ୍ଗିବା ପରେ ଆଖପାଖ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ୭ଶହ କୋଟି ଟଙ୍କାର ଟୁଇନ୍ ଟାୱାରକୁ ଭାଙ୍ଗିବା ଲାଗି ଖର୍ଚ୍ଚ ହେବ ପ୍ରାୟ ସାଢେ ୧୭ କୋଟି ଟଙ୍କା । ଆଖପାଖ ଇଲାକାରେ ଥିବା ସୋସାଇଟି ଲାଗି ଗାଇଡଲାଇନ ଜାରି କରାଯାଇଛି । କେହି ବାଲକୋନିରେ ଠିଆ ହୋଇ ଦେଖିପାରିବେନି । ଘରର ଦୁଆର ଏବଂ ଝରକା ବନ୍ଦ ରଖିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com