ଫୋନ୍ରେ ମିଳିବ ବାତ୍ୟା ସତର୍କ ସୂଚନା
ନୂଆଦିଲ୍ଲୀ ; ୦୧/୦୯ ଦେଶରେ ସତର୍କ ସୂଚନା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ଯାହା ଫଳରେ ପାଣିପାଗ, ବଜ୍ରପାତ, ବନ୍ୟା, ବାତ୍ୟା, ଆଇନଶୃଙ୍ଖଳା, ନିଆଁ ଲାଗିବା ଓ ମହାମାରୀ ଭଳି ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ଲୋକମାନଙ୍କୁ ମୋବାଇଲ୍ ଫୋନ୍ରେ ଏସ୍ଏମ୍ଏସ୍ ଓ ଅନ୍ୟ ସୂଚନା ପ୍ରଯୁକ୍ତି ସହ ଜଡ଼ିତ ମାଧ୍ୟମରେ ଉପଲବ୍ଧ କରାଯାଇ ପାରିବ । ଏହା ଫଳରେ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସୂଚନା ପାଇଁ ପାଣିପାଗ କିମ୍ବା ଜିଲ୍ଲା ପ୍ରଶାସନର ସୂଚନାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହାକୁ ବିଧିବଦ୍ଧଭାବେ ଆସନ୍ତା ବର୍ଷ ଫେବ୍ରୁଆରିରୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ଅଧୀନରେ ଥିବା ‘ସେଣ୍ଟର୍ ଫର୍ ଡେଭଲପ୍ମେଣ୍ଟ ଅଫ୍ ଟେଲିମେଟିକ୍ସ (ସି-ଡଟ୍) ଦ୍ବାରା ସୂଚନା ପ୍ରଯୁକ୍ତି ଆଧାରିତ ସତର୍କ ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି। ସି-ଡଟ୍ ଦ୍ବାରା ବିକଶିତ କରାଯାଇଥିବା ଏହି କୌଶଳର ସଫଳ ପ୍ରୟୋଗ କରୋନା କାଳରେ ବାର୍ତ୍ତା ପଠାଇବା ପାଇଁ କରାଯାଇଥିଲା। ଏକାନ୍ତବାସ କେନ୍ଦ୍ରମାନଙ୍କରେ ଲୋକମାନେ ବାହାରକୁ ଯାଉଛନ୍ତି କି ନାହିଁ ତାହାର ସୂଚନାକୁ ଏକତ୍ରିତ କରାଯାଇଥିଲା । ଏହି ବ୍ୟବସ୍ଥାକୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହ ଯୋଡ଼ିଦିଆଯାଇଛି । ବାତ୍ୟା, ବନ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗରେ ଲୋକମାନଙ୍କୁ ଆଗୁଆ ଚେତାବନୀ ଦେବାର ସଫଳ ପରୀକ୍ଷଣ କରାଯାଇଛି । ଏଭଳି ବ୍ୟବସ୍ଥାକୁ ଆମେରିକା, ଜର୍ମାନି, ଇଟାଲି, କାନାଡ଼ା ଓ ଅଷ୍ଟ୍ରେଲିଆ ପୂର୍ବରୁ ବିକଶିତ କରିସାରିଛନ୍ତି ।