କୋରାପୁଟ ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ସପ୍ତାହରେ ୧୧ ମୃତ
ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ । ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ । କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ରୋଗର କାରଣ ଏଯାଏ ଜଣାପଡ଼ିନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛନ୍ତି । ୧୫ରୁ ୨୦ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି। ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଛି। କାଲି ୭ ଜଣିଆ ଡ଼ାକ୍ତରୀଦଳ ଗାଁକୁ ଯିବେ । ଗତବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି । ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଛନ୍ତି ଲୋକ । ସେପଟେ ମାଲକାନିଗିର ମାଥିଲି ହଳଦିକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ । ସପ୍ତାହରେ ଗଲାଣି ୧୧ ଜୀବନ । ହାତଗୋଡ ଫୁଲିବା ସହ ଜ୍ବରରେ ହଠାତ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏପଟେ ଲୋକେ କିନ୍ତୁ ଗୁଣିଆ କିମ୍ବା କ୍ବାକର ଆଶ୍ରୟ ନେଉଛନ୍ତି । କ୍ବାକଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି। ଶୁକ୍ରବାର ସଂପୃକ୍ତ କ୍ବାକକୁ ଗିରଫ କରି ମାଥିଲି ପୋଲିସ ତରଫରୁ କୋର୍ଟ ଚାଲାଣ କରାଯାଇଛି।