ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ମନେ ପଡୁଛନ୍ତି ସୁଷମା ସ୍ଵରାଜ, ଗୋଟିଏ ଟ୍ଵିଟରେ ପଠେଇ ଦେଉଥିଲେ ଜାହାଜ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଦେଇଛି। ୟୁକ୍ରେନର ରାଜଧାନୀ କ୍ଵିଭ ଉପରେ ଋଷର ଲଢୁଆ ଯୁଦ୍ଧବିମାନ ଉଡୁଛନ୍ତି। ଅନେକ ସ୍ଥାନରେ ବୋମା ପକାଯାଉଛି। ଅନେକ ଭାରତୀୟ ଛାତ୍ର ଓ ଜନତା ୟୁକ୍ରେନରେ ଫସି ରହିଛନ୍ତି। ଛାତ୍ରଙ୍କ ପରିବାର ଅଭିଯୋଗ କରୁଛନ୍ତି ଯେ ସମୟ ପୂର୍ବରୁ ସେମାନଙ୍କୁ ଆଣିବା ପାଇଁ ଉଦ୍ୟମ କରାଗଲା ନାହିଁ ଯେପରି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ସମୟରେ ହେଉଥିଲା।

ଅବଶ୍ୟ ଏହି ମାମଲାରେ ଭାରତ ସରକାର ଏବେ ସକ୍ରିୟ ହୋଇଯାଇଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଏବେ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରୁ ବହୁସଂଖ୍ୟାରେ ଡାକ୍ତରୀ ଛାତ୍ର ଅଛନ୍ତି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ଓ ସେମାନଙ୍କର ପରିବାରବର୍ଗଙ୍କୁ ଏବେ ସୁଷମା ସ୍ଵରାଜ ଓ ତାଙ୍କ କାମ କରିବାର ଶୈଳୀ ମନେ ପଡୁଛି। ସେ ବିଦେଶ ମନ୍ତ୍ରୀ ଥିବା ବେଳେ ଗୋଟିଏ ଟ୍ଵିଟରେ ଭାରତୀୟ ଜାହାଜ, ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଯାଇ ପହଞ୍ଚି ଯାଉଥିଲା।

ବୈଦେଶିକ ମନ୍ତ୍ରୀ ଥିବାବେଳେ ସୁଷମା ସ୍ଵରାଜ ବୈଦେଶିକ ମନ୍ତ୍ରାଳୟର ପରିଭାଷା ବଦଳାଇ ଦେଇଥିଲେ। ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ବୈଦେଶିକ ମନ୍ତ୍ରୀ ଥିଲେ। ଉଚ୍ଚସ୍ତରୀୟ ମନ୍ତ୍ରାଳୟ ବୋଲି ବିବେଚନା କରା ଯାଉଥିବା ବିଦେଶ ମନ୍ତ୍ରାଳୟକୁ ସେତେବେଳେ ସାଧାରଣ ଜନତାଙ୍କ ମନ୍ତ୍ରାଳୟ କୁହାଯାଉଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ବିଦେଶରେ ସମସ୍ୟାର ସାମନା କରୁଥିବା ସାଧାରଣ ଭାରତୀୟଙ୍କୁ ସାହାଯ୍ୟ କରିବା ହୋଇଯାଇଥିଲା। ନିଜର ୫ ବର୍ଷର କାର୍ଯ୍ୟକାଳ ସମୟରେ ସୁଷମା ସ୍ଵରାଜ ୧୮୬ଟି ଦେଶରେ ୯୦ ହଜାରରୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ସାହାଯ୍ୟ ପହଞ୍ଚାଇଥିଲେ।

୨୦୧୫ରେ ସାଉଦି ଆରବର ମେଣ୍ଟ ସେନା ଓ ହୁତି ବିଦ୍ରୋହୀମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଥିଲା। ସାଉଦି ମେଣ୍ଟ ସେନା କ୍ରମାଗତ ଭାବେ ୟେମେନର ରାଜଧାନୀ ସନା ଉପରେ ଆକ୍ରମଣ କରୁଥିଲା। ଏହି ସମୟରେ ୟେମେନେର ଫସି ରହିଥିବା ହଜାର ହଜାର ଭାରତୀୟ ସାହାଯ୍ୟ ପାଇଁ ସୁଷମା ସ୍ଵରାଜଙ୍କୁ ନିବେଦନ କରିଥିଲେ। କିନ୍ତୁ ସହର ଉପରେ ଲଢୁଆ ଯୁଦ୍ଧବିମାନ ଉଡୁଥିବା ଯୋଗୁଁ କୌଣସି ବି ଅନ୍ୟ ଉଡାଜାହାଜକୁ ସେଠାରେ ଅବତରଣ କରାଇବା ସହଜ ନଥିଲା।

ଏପରି ପରିସ୍ଥିତିରେ ସୁଷମା ସ୍ଵରାଜଙ୍କ ଉଦ୍ୟମ ଯୋଗୁଁ ଭାରତ ସରକାର ସାଉଦି ଆରବର ସରକାରଙ୍କୁ କିଛି ସମୟ ପାଇଁ ଯୁଦ୍ଧବିମାନ ରୋକିବାକୁ କହିଥିଲା। ସୁଷମା ସ୍ଵରାଜ ନିଜର କୂଟନୀତି ଦ୍ଵାରା ସାଉଦି ଆରବକୁ ଏଥିପାଇଁ ରାଜି ବି କରେଇ ଦେଇଥିଲେ। ଏହାପରେ ସାଉଦି ଆରବ ଏକ ସପ୍ତାହ ପର୍ଯ୍ୟନ୍ତ ଦିନରେ ବୋମା ପକେଇବା ବନ୍ଦ କରିଦେଇଥିଲା। ଏହି ସମୟରେ ସେଠାରେ ଫସିଥିବା ୫ ହଜାରରୁ ଅଧିକ ଭାରତୀୟଙ୍କୁ ଭାରତକୁ ଫେରାଇ ଅଣାଯାଇଥିଲା।

୨୦୧୬ରେ ଦକ୍ଷିଣ ସୁଦାନର ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ସଙ୍କଟମୋଚକ ଚଳାଇ ୫୦୦ ଲୋକଙ୍କୁ ଭାରତକୁ ଅଣାଯାଇଥିଲା। ଥରେ ବାଟ ଭୁଲି ପାକିସ୍ତାନ ଚାଲିଯାଇଥିବା ଗୀତା ନାମକ ଝିଅଙ୍କୁ (ଯିଏ କି କହି ପାରୁ ନଥିଲେ କି ଶୁଣି ପାରୁ ନଥିଲେ) ସେ ପାକିସ୍ତାନରୁ ଆଣି ଭାରତରେ ଥିବା ତାଙ୍କ ପରିବାର ସହ ଭେଟ କରେଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରି ସଫଳ ହୋଇଥିଲେ। ଏହିପରି ଜର୍ମାନୀରେ ବିନା ପାସପୋର୍ଟ ଓ ପଇସାରେ ଫସି ରହିଥିବା ଜଣେ ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିଥିଲେ ସୁଷମା।

କୌଣସି ବି ଭାରତୀୟଙ୍କୁ ଭାରତରେ ଚିକିତ୍ସା କରିବାର ଅଛି ଅଥବା ଭାରତ ବାହାରେ ଚିକିତ୍ସା କରିବାର ଅଛି; ବିଦେଶରେ ମାଲିକ ପାସପୋର୍ଟ ଜବତ କରିଥାଉ ଅଥବା ଅନ୍ୟ କୌଣସି ସଙ୍କଟ ହେଉ ସୁଷମା ସ୍ଵରାଜ କେବଳ ଗୋଟିଏ ଟ୍ଵିଟରେ ସାହାଯ୍ୟ ପାଇଁ ପୂରା ସରକାରୀତନ୍ତ୍ରକୁ ଲଗାଇ ସହିତ ସାହାଯ୍ୟ କରୁଥିଲେ। ସୁଷମା ସ୍ଵରାଜଙ୍କୁ ଟ୍ଵିଟ୍ କରିବା ଅର୍ଥ ସାହାଯ୍ୟର ଗ୍ୟାରେଣ୍ଟି  ବୋଲି କୁହାଯାଉଥିଲା। ଥରେ ଜଣେ ଟ୍ଵିଟର୍ ବ୍ୟବହାରକାରୀଙ୍କୁ ଜବାବ ଦେଇ ସୁଷମା ସ୍ଵରାଜ କହିଥିଲେ, ଯଦି ଆପଣ ମଙ୍ଗଳ ଗ୍ରହରେ ବି ଫସି ରହିଥାନ୍ତି ତେବେ ବି ସେଠାରେ ଭାରତୀୟ ଦୂତବାସ ସାହାଯ୍ୟ କରିବା ପାଇଁ ପହଞ୍ଚି ଯିବ।

ୟୁକ୍ରେନ-ଋଷ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪ ହଜାର ଭାରତୀୟଙ୍କୁ ଫେରାଇ ଅଣାଯାଇଥିବା ବେଳେ ଆହୁରି ପ୍ରାୟ ୨୦ ହଜାର ଲୋକ ୟୁକ୍ରେନରେ ଫସି ରହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com