Featuredଜାତୀୟ

ଶିଶୁ ପର୍ଣ୍ଣୋଗ୍ରାଫି ବିରୋଧରେ ଅପରେସନ ‘ମେଘଚକ୍ର’

ଛୋଟ ପିଲାମାନଙ୍କର ଅଶ୍ଳୀଳ ଛବି, ଭିଡିଓ ଆଦି ଅନ୍‌ଲାଇନ୍ ସର୍କୁଲେସନ ହେଉଥିବା ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଏକ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ‘ଅପରେସନ ମେଘଚକ୍ର’ ନାମରେ ଚାଲିଥିବା ଏହି ଅପରେସନରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୬ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ସାମାଜିକ ଗଣମାଧ୍ୟମ ଜରିଆରେ ଯେଉଁ ବ୍ୟକ୍ତି ବା ଗୋଷ୍ଠୀମାନେ ଏସବୁ କାରବାର ପଛରେ ଅଛନ୍ତି ଏବଂ ନାବାଳିକାମାନଙ୍କୁ ବ୍ଲାକ୍‌ମେଲ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ। ସିଙ୍ଗାପୁରସ୍ଥିତ ଇଣ୍ଟରପୋଲ ଅଫିସରୁ ସୂଚନା ପାଇବା ପରେ ସିବିଆଇ ଏହି ଅଭିଯାନ ଆରମ୍ଭ କରିଛି। ଅଧିକାରୀମାନଙ୍କ କହିବା ଅନୁସାରେ ଗତବର୍ଷ ‘ଅପରେସନ କାର୍ବନ’ ଅଧୀନରେ ସିଏସ୍‌ଏଏମ୍ ବିରୋଧରେ ଯେଉଁ ଚଢ଼ଉ ହୋଇଥିଲା, ଏହା ହେଉଛି ଅନେକାଂଶରେ ତା’ର ଫଲୋଅପ୍ କାର୍ଯ୍ୟାନୁଷ୍ଠାନ। ଗତବର୍ଷ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଚଢ଼ଉ କରାଯାଇଥିଲା। କ୍ଲାଉଡ୍ ଷ୍ଟୋରେଜ୍ ସୁବିଧା ମାଧ୍ୟମରେ କେଉଁମାନେ ଅଶ୍ଳୀଳ ଭିଡିଓ ଓ ଫଟୋ ପ୍ରସାର କରୁଛନ୍ତି, ତାଙ୍କୁ ଧରିବା ହେଉଛି ଏହାର ଉଦ୍ଦେଶ୍ୟ। ଅଭିଯୁକ୍ତ ଓ ସନ୍ଦିଗ୍ଧମାନଙ୍କ ମଧ୍ୟରେ ଭାରତୀୟଙ୍କ ସମେତ ପାକିସ୍ତାନ (୩୬), କାନାଡ଼ା (୩୫), ଆମେରିକା (୩୫), ବାଂଲାଦେଶ (୩୧), ଶ୍ରୀଲଙ୍କା (୩୦), ନାଇଜେରିଆ (୨୮), ଆଜରବାଇଜାନ (୨୭), ୟେମେନ (୨୪), ମାଲେସିଆ (୨୨), ସାଉଦି ଆରବ (୧୯), ଇନ୍ଦୋନେସିଆ (୧୯), ଇଜିପ୍ଟ (୨୧), ସଂଯୁକ୍ତ ଆରବ ଦେଶ (୧୯), ଇଂଲଣ୍ଡ (୧୭), ଦକ୍ଷିଣ ଆଫ୍ରିକା (୧୫), ନେପାଳ (୧୫), ଆଲଜେରିଆ (୧୭), ଇରାକ (୧୪), ଆଫଗାନିସ୍ତାନ (୧୨), କେନ୍ୟା (୧୨) ଓ ଓମାନ (୧୨)ର ନାଗରିକମାନେ ଅଛନ୍ତି। ଶନିବାରର ଚଢ଼ଉ ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ଗୋଆ, କର୍ଣ୍ଣାଟକ, ତେଲେଙ୍ଗାନା ଓ ତାମିଲନାଡ଼ୁ ଆଦି ରାଜ୍ୟରେ କରାଯାଇଥିଲା। ଗତ ସପ୍ତାହରେ ଶିଶୁ ପର୍ଣ୍ଣୋଗ୍ରାଫି ମାମଲାଗୁଡ଼ିକ ମନିଟର କରିବା ପାଇଁ ସରକାରଙ୍କର କି ବ୍ୟବସ୍ଥା ରହିଛି ତାହା ଉପରେ ରିପୋର୍ଟ ଦେବା ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ। ଏ ବାବଦରେ ଇଣ୍ଟରନେଟ କମ୍ପାନିଗୁଡ଼ିକରୁ ଏକ ଷ୍ଟାଟସ ରିପୋର୍ଟ ମଧ୍ୟ କୋର୍ଟ ମାଗିଥିଲେ। ୨୦୧୮ରେ ଗୁଗଲ, ମାଇକ୍ରୋସଫ୍ଟ ଓ ଫେସ୍‌ବୁକ୍ ସମେତ ବିଶିଷ୍ଟ ଇଣ୍ଟରନେଟ ସଂସ୍ଥା ଓ ସରକାରୀ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଶୁଣାଣି ହୋଇଥିଲା, ଯେଉଁଥିରେ ଅଶ୍ଳୀଳ ଛବି ଓ ଭିଡିଓ ଆଦିକୁ ଇଣ୍ଟରନେଟ୍‌ ପ୍ଲାଟଫର୍ମରୁ ହଟାଇବା ସପକ୍ଷରେ ସହମତି ପ୍ରକାଶ ପାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com