ଅନ୍ୟାନ୍ୟ

ଭାରତର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ” ଶୀର୍ଷକ ଏକଦିବସୀୟ ଜାତୀୟ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, ୩୦ /୦୯/୨୦୨୨-   ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମାଜିକ ବର୍ଜିତ ଓ ସଂପୃକ୍ତି କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଜନଜାତି ଆୟୋଗ, ନୂଆଦିଲ୍ଲୀ ପକ୍ଷରୁ ଭାରତବର୍ଷରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ“ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ସଂଗ୍ରାମୀଙ୍କ ଅବଦାନ” ଶୀର୍ଷକ ଏକଦିବସୀୟ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଦାଶ ତାଙ୍କ ବକ୍ତବ୍ୟରେ ଭାରତବର୍ଷର ଜନଜାତି ସଂଗ୍ରାମୀ ବୀରଙ୍କ ଭାରତୀୟ ସ୍ୱାଧୀନତା କାଳରେ ବଳିଦାନକୁ ସ୍ମରଣ କରିବା ସହିତ ସେହି ବୀରମାନଙ୍କ ସଂଗ୍ରାମ ଓ ଉତ୍ସର୍ଗୀକୃତ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ପରିପ୍ରେକ୍ଷୀରେ ସଂପ୍ରତି ଭାରତବର୍ଷର ଇତିହାସକୁ ପୁନର୍ଲିଖନ ଓ ପୁନଃ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ ବୋଲି ସେ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଘୁମୁସୁରରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀଜ ସ୍ଥାପନରେ ଚକରା ବିଷୋୟୀଙ୍କ ସମେତ ଅନ୍ୟାନ୍ୟ ଜନଜାତି ସଂଗ୍ରାମୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ନିରଞ୍ଜନ ଶବର ଭାରତବର୍ଷରେ ଜନଜାତି ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଓଡି଼ଶାର ଜନଜାତି ବୀରମାନଙ୍କ କୃତି ଓ କୀର୍ତ୍ତିର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଜାତୀୟ ଜନଜାତି କମିସନ ପକ୍ଷରୁ ଯୋଗ ଦେଇଥିବା ବିଶିଷ୍ଟ ଜନଜାତି ଗବେଷକ ରିପୁସୂଦନ ମିଶ୍ର ସାମ୍ପ୍ରତିକ କାଳରେ ଜନଜାତି ସଂଗ୍ରାମୀ ଓ ଜନଜାତି ଆୟୋଗର ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ସଂଯୋଜକ ଡ. ସରିତା ଦାସଙ୍କ ନେତୃତ୍ୱରେ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଉପରେ ପର୍ଯ୍ୟବସିତ ଦେଶାତ୍ମବୋଧକ କବିତା ଗାନ କରିଥିଲେ । ଶେଷରେ ଭାଷା ବିଭାଗର ଅଧ୍ୟାପକ ଡ. ଅନୂପ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜନଜାତି ସଂଗ୍ରାମୀଙ୍କ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ବ୍ୟତୀତ ଏହି କର୍ମଶାଳାରେ ଜନଜାତି ସଂଗ୍ରାମୀଙ୍କର ବହୁ ଫଟୋଚିତ୍ର ଦୁଇ ଦିନ ଧରି ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମକୁ କୁନା ଜେନା, ଧ୍ରୁବ ସେଠୀ, ରୋହିତ ବାରିକ, ପଦ୍ମଲୋଚନ ପ୍ରଧାନ, ସୁଶାନ୍ତ ଜେନା,  ଗୌତମ କହଁର, କୁଳମଣି ମାଝୀ, ଜୟେନ୍ଦ୍ର ବେହେରା, ଜଗନ୍ନାଥ ଭୂତିଆ, ଅଜୟ ବେହେରା ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ଓଡି଼ଶାର ବିଭିନ୍ନ ଅଞ୍ଚଳରୁ ପଚାଶରୁ ଊର୍ଦ୍ଧ୍ୱ ପ୍ରତିନିଧିଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ର, କର୍ମଚାରୀ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com