ବିଭିନ୍ନ ଦାବି ନେଇ ଇପିଏଫ ପେନସନଧାରୀଙ୍କ ବିକ୍ଷୋଭ ସହ ସ୍ମାରକପତ୍ର ପ୍ରଦାନ
ବ୍ରହ୍ମପୁର, ୩୦ /୦୯/୨୦୨୨- ଇପିଏଫ ପେନସନଧାରୀଙ୍କୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ସହିତ ଅତିରିକ୍ତ ମହଙ୍ଗା ଭତ୍ତା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଦାବିରେ ଗୁରୁବାର କୋର୍ଟପେଟା ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପଥପ୍ରାନ୍ତ ସଭା କରାଯାଇଛି । ରାଜ୍ୟ ଇପିଏଫ ପେନସନ ସଂଘର ନିଷ୍ପତ୍ତି କ୍ରମେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ସହସ୍ରାଧିକ ଇପିଏଫ ପେନସନଧାରୀ ଜିଲ୍ଲା ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଶତପଥୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ସହିତ ଅତିରିକ୍ତ ମହଙ୍ଗା ଭତ୍ତା ଏବଂ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ନିମନ୍ତେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ସିଆଇଟିୟୁ ର ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀଙ୍କ ସମେତ ସଂଘର କର୍ମକର୍ତ୍ତା ସୀମାଞ୍ଚଳ ନାୟକ, ଗଜପତି ମହାନ୍ତି, ଶିବରାମ ବିଶ୍ବାଳ, ପ୍ରଶାନ୍ତ ଦାସ, ରବି ନାରାୟଣ ସାବତ ପ୍ରମୁଖ ଉପସ୍ଥିତ ଥିଲେ।