ଐତିହ୍ୟ ଓ ସଂସ୍କୃତି

ଜେକେପୁରରେ ସରିଲା ଶାରଦୀୟ ଦୁର୍ଗା ପୂଜା ଉତ୍ସବ

ରାୟଗଡା, ୦୭/୧୦/୨୦୨୨-   ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ଜେକେ କାଗଜ କଳର ଶ୍ରୀ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଆୟୋଜିତ ସୁନ୍ଦର ତୋରଣରେ ପୂଜା ପାଉଥିଲେ ମା’ ଦୁର୍ଗା । ଦର୍ଶକ ତଥା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ୬ଦିନ ଧରି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୁନି କୁନି ପିଲାଙ୍କ ପାଇଁ ମୀନା ବଜାରର ଆୟୋଜନ କରାଯାଇଥିଲା । ଗତ ବିଜୟା ଦଶମୀ ଦିନ ରାବଣ ପୋଡି  ଦେଖିବା ପାଇଁ ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଦର୍ଶନୀୟ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କରୋନା ମହାମାରୀ ଯୋଗୁଁ ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା  ଦୁର୍ଗା ପୂଜା ଉତ୍ସବରୁ ବଂଚିତ ଥିବା ଦର୍ଶକ ଓ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ଚଳିତ ବର୍ଷ ଛୁଟିଥିଲେ ଜେକେପୁରକୁ  ।  ପୂଜା କମିଟି ତରଫରୁ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମରେ ୩ ତାରିଖରେ ନୃତ୍ୟ ସଦନ ଏବଂ ସ୍ୱର ସାଗର ଗ୍ରପୁ ପକ୍ଷରୁ ଶାସ୍ତ୍ରୀୟ ଓ ଲୋକନୃତ୍ୟ ସହ ସ୍ଥାନୀୟ ଡେନ୍ସ ଗ୍ରୁପଙ୍କୁ ନେଇ ଏକ ମେଗା ବୁଗି-ଉଗି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ୪ ତାରିଖରେ ଖ୍ୟାତିସଂପନ୍ନ କଣ୍ଠଶୀଳ୍ପିଙ୍କୁ ନେଇ ରାୟଗଡାର ଗୀତ ଗୁଂଜନ ମେଲୋଡି ମେକର୍ସ ଅନୁଷ୍ଠାନ ତରଫରୁ ମ୍ୟୁଜିକଲ ନାଇଟ କାର୍ଯ୍ୟକ୍ରମ,୫ ତାରିଖରେ ଜେକେପୁରର ଜୟ ଜଗନ୍ନାଥ ନାଟ୍ୟ କଳା ପରିଷଦର କଳାକାରଙ୍କ ଦ୍ୱାରା ‘ସବୁ ସତ ପରା ଲୁହ ନିଜର’ ଅପେରା ପରିବେଷଣ କରାଯାଇଥିବା ବେଳେ ୬ତାରିଖରେ ସୁଦୂର ବିଶାଖାପାଟଣମର ସୁପ୍ରିମ ଅର୍କେଷ୍ଟ୍ରା ପରିବେଷଣ କରାଯାଇଥିଲା ।

ସେହିପରି ରାୟଗଡା ସହରର ବ୍ରାହ୍ମଣ ସାହି, ପୋଲିସ କଲୋନୀ, ବସଷ୍ଟାଣ୍ଡ, ଷ୍ଟେଟ ବ୍ୟାଙ୍କ ଛକ, ଇନ୍ଦିରା ନଗର ପୂଜା କମିଟି ପକ୍ଷରୁ ମଧ୍ୟ ସୁନ୍ଦର ତୋରଣ ଓ ଆଲୋକମାଳାରେ ସହର ଝଲୁସି ଉଠିଥିବା ବେଳେ ପୂଜା ମଣ୍ଡପଗୁଡିକରେ ମା’ଙ୍କ ଦର୍ଶନ ଓ ଆଶିର୍ବାଦ ଲାଭ କରିବା ପାଇଁ  ପଡୋଶୀ ଗଜପତି, କଳାହାଣ୍ଡି, କୋରାପୁଟ, ଫୁଲବାଣୀ ଆଦି ଜିଲ୍ଳା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ, ବିଜୟନଗରମ୍‌, ବିଶାଖାପାଟଣମରୁ ମଧ୍ୟ ଶ୍ରଦ୍ଧାଳୁମାନେ ଜେକେପୁରକୁ ଛୁଟି ଆସୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com