ଓଡ଼ିଶା

ଓଡିଶାକୁ ପୁଣି ଅକ୍ଟୋବରରେ ବାତ୍ୟା

ଅକ୍ଟୋବର ତୃତୀୟ ସପ୍ତାହବେଳକୁ ବାତ୍ୟା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ଅତି ଭୀଷଣ ରୂପ ନେବ । ୨୧ ରୁ ୨୨ ତାରିଖ ମଧ୍ୟରେ ପାରାଦୀପରୁ ବାଲେଶ୍ୱର ଭିତରେ ମାଡ଼ ହେଇପାରେ। ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟ୍ରପିକାଲ୍‌ ଟିଡ୍‌ବିଟ୍ସର ପୂର୍ବାନୁମାନ ଚିତ୍ରରେ ଏଭଳି ଆକଳନ କରାଯାଉଛି । ଏହି ବିଦେଶୀ ପାଣିପାଗ ପୂର୍ବାନୁମାନ ଚିତ୍ର ଦେଖିଲେ ଜଣାପଡ଼ୁଛି, ଆସନ୍ତା ୧୬ ତାରିଖବେଳକୁ ଆଣ୍ଡାମାନ ଉପକୂଳର ପଶ୍ଚିମରେ ଲଘୁଚାପ ସୃଷ୍ଟି ହେବ । ସମୁଦ୍ର ପତ୍ତନ ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ସେଲ୍‌ସିୟସ ଥିବ । ଲଘୁଚାପ ଘନୀଭୂତ ହେବା ପାଇଁ ଏହା ଅନୁକୂଳ । ସ୍ଥଳଭାଗରେ ମାଡ଼ ହେବା ପୂର୍ବରୁ ପ୍ରାୟ ୫ ଦିନ ଏହି ସମୁଦ୍ର ଭିତରେ ରହିବ ବଳ ଗୋଟାଇବ । ସମ୍ଭାବ୍ୟ ଚିତ୍ରରେ ବାୟୁ ଚାପ ଯେଉଁଭଳି ହ୍ରାସ ପାଉଛି, ତାହା ଭୟଙ୍କର ରୂପ ନେବା ଆଶଙ୍କାକୁ ବଢ଼ାଉଛି । ସମ୍ଭାବ୍ୟ ଚିତ୍ରରୁ ଜଣାପଡ଼ୁଛି, ୧୮ ତାରିଖ ରାତିରେ ଏହା ବାତ୍ୟା ରୂପ ନେଇପାରେ । ସେତେବେଳେ ବାୟୁର ଚାପ (ଏୟାର ପ୍ରେସର) ୯୭୭ ଥାଇପାରେ । ୧୯ ତାରିଖବେଳକୁ ଆହୁରି ଘନୀଭୂତ ହେବ । କ୍ରମଶଃ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ୧୯ରେ ବାୟୁର ଚାପ କମି ୯୪୭ ହୋଇଯିବ । ୨୦ ତାରିଖକୁ ବାୟୁର ଚାପ ୯୨୬ ଥିବ, ସେତେବେଳେ ଏହା ଓଡ଼ିଶା ଉପକୂଳ ପାଖାପାଖି ଥିବ ।

ବାୟୁର ଚାପ ଯେଉଁଭଳି ହ୍ରାସ ପାଉଛି, ଏଥିରୁ ଅନୁମାନ କରାଯାଉଛି ସମ୍ଭାବ୍ୟ ବାତ୍ୟା ସେତେବେଳେ ଅତି ଭୟଙ୍କର ରୂପରେ ଥାଇପାରେ । ୨୦ ତାରିଖରେ ହିଁ ଏହା ଓଡ଼ିଶା ଉପକୂଳରେ ଘଷି ହେବା ସମ୍ଭାବନା ରହିଛି । ୨୧ ତାରିଖବେଳକୁ ଓଡ଼ିଶା ଉପକୂଳରେ ସ୍ଥଳଭାଗକୁ ପଶିବ । ପାରାଦୀପରୁ ବାଲେଶ୍ୱର ମଧ୍ୟରେ ମାଡ଼ ହେବ ବୋଲି ଟ୍ରପିକାଲ ଟିଡ୍‌ବିଟ୍‌ସର ପୂର୍ବାନୁମାନ ମାନଚିତ୍ର ଦର୍ଶାଉଛି । ସ୍ଥଳଭାଗରେ ପ୍ରବେଶ ପରେ କ୍ରମେ ଦୁର୍ବଳ ହୋଇ ମଧ୍ୟ ଓଡ଼ିଶା ଦେଇ ପଶ୍ଚିମ ଓଡ଼ିଶା ଦିଗକୁ ଯିବ । ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ୍‌ କମ୍‌ ଦର୍ଶାଇଥିବା ସମ୍ଭାବ୍ୟ ଚିତ୍ରରୁ ବି ବାତ୍ୟା ହେବା ନେଇ ଆଶଙ୍କା ରହିଛି । ୧୯ ତାରିଖବେଳକୁ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ସମୁଦ୍ର ଭିତରେ ବାତ୍ୟା ଅବସ୍ଥାରେ ଥିବ ବୋଲି ଏହି ଚିତ୍ରରୁ ଅନୁମାନ କରାଯାଉଛି । ତେବେ ଏସବୁ କେବଳ ପ୍ରାକ୍‌ ଆକଳନ । ଲଘୁଚାପ ସୃଷ୍ଟି ହେବା ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ । ତେବେ ଏ ଯାଏ ଭାରତୀୟ ପାଣିପାଗ ବିଭାଗ ଏ ନେଇ କୌଣସି ପୂର୍ବାନୁମାନ ଦେଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com