ହାତୀ ନେଲା ଚାଷୀଙ୍କ ପ୍ରାଣ
ବ୍ରହ୍ମପୁର, ୧୧ /୧୦/୨୦୨୨- ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ସୋମବାର ସକାଳ ସମୟରେ ବନ ବିଭାଗ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରିଥିବା ବେଳେ ରାତିରେ ନିଜ ଧାନ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀଙ୍କ ହାତୀ ହାବୁଡରେ ପଡି ଜୀବନ ଯାଇଛି । ଏଭଳି ଦୁଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କ୍ଷେତମୁଣ୍ଡଳୀ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ଦିବଙ୍ଗତ ନାରୁଶୁ ପାତ୍ରଙ୍କ ପୁଅ ପବିତ୍ର ପାତ୍ର । ଖବର ପାଇ ତାରସିଂ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ କେସ୍ ନମ୍ବର ୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।
ପବିତ୍ର ଜଣେ ଭାଗଚାଷୀ ହୋଇଥିବା ବେଳେ ନିକଟସ୍ଥ ବ୍ରାହ୍ମଣସାହି ସଂରକ୍ଷିତ ଜଙ୍ଗଲରୁ ଏକ ୧୭ ଟିକିଆ ହାତୀପଲ ଧାନ ଫସଲ ଖାଇବାକୁ ଆସିଥିଲେ । ହାତୀ ଆସୁଥିବା ଦେଖି ପବିତ୍ରଙ୍କ ସହ ୫ଜଣ ମିଶି ହାତୀକୁ ଘଉଡାଇଥିଲେ । ହାତୀପଲ ପଛକୁ ଘୁଞ୍ଚିବା ସହ ନିକଟସ୍ଥ କାଜୁ ବଗିଚାକୁ ପଳାଇଥିଲେ । କିଛି ଛୁଆ ହାତୀ ଜମି ନିକଟରେ ଥିବା ଏକ ପୋଖରୀ ଆଡକୁ ପଳାଇଥିଲେ । ସେମାନଙ୍କୁ ହାତୀପଲ ଆଡକୁ ଘଉଡାଇବା ପାଇଁ ପୁଣି ସମସ୍ତେ ଯାଇଥିଲେ । ଛୁଆହାତୀଙ୍କୁ ଘଉଡାଇବା ସମୟରେ ହଠାତ୍ ଏକ ମାଆ ହାତୀ ସେମାନଙ୍କ ଆଡକୁ ଗୋଡାଇ ଆସିଥିଲା । ଅନ୍ୟମାନେ ପ୍ରାଣ ବିକଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥିବା ବେଳେ ପବିତ୍ର ତଳେ ପଡିଯିବା ସହ ହାତୀ କବଳରୁ ମୁକୁଳି ପାରିନଥିଲେ। ଶୁଣ୍ଢରେ ଠେଲିବା ସହ ପେଟକୁ ଦଳି ଚକଟି ଦେଇଥିଲା । ହିଂସ୍ର ହୋଇ ପଡିଥିବା ହାତୀକୁ ସାମ୍ନା କରିବାକୁ କେହି ସାହାସ ଜୁଟାଇ ପାରିନଥିଲେ । ଏହାପରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ବାଣ ଫୁଟାଇବା ସହ ହାତୀଙ୍କୁ ଘଟଣାସ୍ଥଳରୁ ଘଉଡାଇବା ପରେ ପବିତ୍ରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପବିତ୍ରକୁ ମୃତ ଘୋଷଣା କରିଥିଲେ । ଡିଏଫ୍ଓ ସୁଦର୍ଶନ ବେହେରା ଘଟଣାସ୍ଥଳ ବୁଲି ଦେଖିବା ସହ ସରକାରୀ ନିୟମ ଅନୁଯାୟୀ ପବିତ୍ରଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କହିଛନ୍ତି ।