ଓଡିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କର ୮୬ ତମ ଜନ୍ମ ଜୟନ୍ତୀ
![](https://i0.wp.com/odia.mobilenews24x7.com/wp-content/uploads/2022/10/akshya-mohanty-1210-1-e1665584342822.webp?resize=285%2C346&ssl=1)
ଭୁବନେଶ୍ୱର, ୧୨ /୧୦/୨୦୨୨- ଓଡିଆ ସିନେମା ଓ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ୮୬ ତମ ଜନ୍ମ ଜୟନ୍ତୀ । ଖୋକା ଭାଇ ନାମରେ ପରିଚିତ ସ୍ୱର୍ଗତ ଅକ୍ଷୟ୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଆଧୁନିକ ଗୀତଠାରୁ ଆରମ୍ଭ କରି ଲୋକଗୀତ ଓ ଭଜନ ସବୁଥିରେ ଅକ୍ଷୟ ମହାନ୍ତି ଛାଡି ଯାଇଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଗୀତ ଗାଇବା, ଗୀତ ଲେଖିବା ଏବଂ ଏହାକୁ ସ୍ୱରରେ ସଜାଇବାରେ ତାଙ୍କର କଳ୍ପନା ଥିଲା ସବୁଠୁ ନିଆରା ।
ତାଙ୍କ ଗୀତଗୁଡିକ ମଧ୍ୟରେ ରହିଛି – ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି, ଯାଯାବର ମନମୋର, ଯା’ରେ ଭାସି ଭାସି ଯା’, ଏଇ ଯେ ବନଲତା ପାହାଡ଼, ପୁଣ୍ୟର ନଦୀ ତୀରେ ପାପର ତରୁ ଡାଳେ, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ, କିଛି କିଛି ହଉଛି , ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି, ଏ ଏ ଆଲୋ ଆଲୋ ମଣି, ମତେ ସାଇଲା ସାଇଲା ତୋ ନାକର ଗୁଣା, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ଏବଂ ନଦୀର ନାମ ଅଳସ କନ୍ୟା ଆଦି ପ୍ରଧାନ ।
ଖାଲି ସେତିକି ନୁହେଁ ୧୨୯ଟି ଚଳଚ୍ଚିତ୍ରରେ ସେ ଛାଡିଯାଇଛନ୍ତି ତାଙ୍କ କଣ୍ଠ ସ୍ୱର । ଏହାସହ ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପେଟେଣ୍ଟମେଡିସିନର ନାଟ୍ୟ ରୂପାନ୍ତର ତାଙ୍କର ଅନବଦ୍ୟ କୃତି । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି । ୨୦୦୨ ନଭେମ୍ବର ୧୭ ତାରିଖ ଦିନ ବଡଓଷାରେ ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷ ଆରପାରିକୁ ଚାଲି ଯାଇଥିଲେ ।