ଓଡ଼ିଶା

ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ

ଭୁବନେଶ୍ୱର, ୧୪/୧୦/୨୦୨୨ –  ଖୋର୍ଦ୍ଧାରେ ଚିନ୍ତା ବଢାଇଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି, ଏବଂ ରାଜଧାନୀ ହଟସ୍ପଟ ପାଲଟିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଳା ପ୍ରଶାସନକୁ ସତର୍କ କରିଛି । ବିଶେଷକରି ସବୁ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକ ସତର୍କ ରହିବା ଲାଗି କୁହାଯାଇଛି । ଗୁରୁବାର ସୁଦ୍ଧା ଜିଲ୍ଲାରେ ମୋଟ ୨୬୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୪୬୪ ଜଣ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ରହିଛନ୍ତି ।

ଚଳିତବର୍ଷ ଡେଙ୍ଗୁ ସ୍ଥିତି ଗତବର୍ଷ ଅପେକ୍ଷା ଅଧିକ ସଂଗୀନ ରହିଛି । କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଟକ ବାଲେଶ୍ବର ଓ ନୟାଗଡ଼ ଭଳି ଜିଲ୍ଲାରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ରେ ୭୬୩, ସେପ୍ଟେମ୍ବରରେ ୧୩୧୦ ଓ ଅକ୍ଟୋବର ୧୩ ତାରିଖ ସୁଦ୍ଧା ୧୯୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଭୁବନେଶ୍ୱରରେ ନୀଳାଦ୍ରିବିହାରରୁ ସର୍ବାଧିକ ୩୪୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୫୪, ଆଇଆରସି ଭିଲେଜରୁ ୨୩୦, ୟୁନିଟ-୩ରୁ ୧୪୪ ଏବଂ ସାଲିଆ ସାହିରୁ ୧୯୪ଜଣ ରୋଗୀ ସରକାରୀ ଭାବେ ଚିହ୍ନଟ ହୋଇଛନ୍ତି ।

ଡେଙ୍ଗୁକୁ ରୋକିବାକୁ ଯାଇ ବିଏମସି ପକ୍ଷରୁ ସପ୍ତାହରେ ଦୁଇଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ତ୍ବ ଦିଆଯାଇଛି । ନିୟମିତ ବୁଦା କାଟି ସଫା କରିବା ସହ ମଶା ଧୂଆଁ ଛଡାଯାଉଛି । ସେପଟେ ଟେଷ୍ଟିଂକୁ ବ୍ୟାପକ କରାଯିବା ସହ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଡେଙ୍ଗୁ ରୋଗୀଙ୍କ କ୍ଷେତ୍ରରେ ରକ୍ତରୁ ପ୍ଲେଟଲେଟ କମିଯିବାର ସମ୍ଭାବନା ଥିବାରୁ ରକ୍ତ ଭଣ୍ଡାରରେ ରକ୍ତ ୟୁନିଟ ଗଚ୍ଛିତ ରଖାଯାଇଛି । ଡେଙ୍ଗୁରେ ‘ଶୂନ୍ୟ ମୃତ୍ୟୁ’କୁ ଆପଣାଇବା ଉପରେ ଗୁରୁତ୍ବ ଦିଆଯାଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଜାରି ହୋଇଥିବା ଏସ୍‌ଓପିକୁ ଅନୁକରଣ କରିବା ଲାଗି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com