ଅନ୍ୟାନ୍ୟ

ମାଆ ଗର୍ଭରେ ବି ଶିଶୁ ସୁରକ୍ଷିତ ନୁହେଁ

ବେଲଜିୟମ, ୧୭ /୧୦/୨୦୨୨-   କୁହାଯାଏ ମାଆ କୋଳରେ ଛୁଆ ସବୁବେଳେ ସୁରକ୍ଷିତ । ମାତ୍ର ଏବେ ପରିବେଶ ପ୍ରଦୂଷଣ ପାଇଁ ମାଆ ଗର୍ଭରେ ଥିବା ଶିଶୁ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଜଣାପଡିଛି । ସ୍କଟଲାଣ୍ଡର ଏବର୍ଡିନ ବିଶ୍ୱବିଦ୍ୟାଳୟ ଏବଂ ହ୍ୟାସେଲ୍ଡ ବିଶ୍ୱବିଦ୍ୟାଳୟ, ବେଲଜିୟମର ଗବେଷଣାରୁ ଏହି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଗବେଷଣାର ତଥ୍ୟ ଲାନସେଟ ପ୍ଲାନେଟାରୀ ହେଲଥରେ ପ୍ରକାଶିତ ହୋଇଛି । ଗର୍ଭରେ ବଢୁଥିବା ଶିଶୁ ବି ବର୍ତ୍ତମାନ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି । ଗର୍ଭଧାରଣର ପ୍ରଥମ ତିନିମାସରେ ବାୟୁ ପ୍ରଦୂଷଣର କିଛି ଅଂଶ ପ୍ଲାସେଣ୍ଟା ଦେଇ ଶିଶୁର ଶରୀରରେ ପ୍ରବେଶ କରୁଛି । ଯାହା ଚିନ୍ତାର ବିଷୟ । କାରଣ ଗର୍ଭଧାରଣର ତିନିମାସ ପରେ ଶିଶୁର ଶାରିରୀକ ବିକାଶ ଦ୍ରୁତ ହୋଇଥାଏ । ଏହିଭଳି ସ୍ଥିତିରେ ଜନ୍ମ ହୋଇନଥିବା ଶିଶୁର ଶରୀରରେ ବାୟୁ ପ୍ରଦୂଷଣର ମାତ୍ରା ମିଳିବା ଚିନ୍ତାଜନକ ।

ଏହି ଗବେଷଣାରେ ପ୍ରତ୍ୟେକ ୧ କ୍ୟୁବିକ ଟିସୁରେ ହଜାର ହଜାର ସଂଖ୍ୟାରେ ବ୍ଲାକ କାର୍ବନର ମାତ୍ରା ମିଳିଥିଲା । ଏହା ମାଆର ନିଶ୍ୱାସ ଦେଇ ପ୍ଲାସେଣ୍ଟା ସାହାଯ୍ୟରେ ଗର୍ଭରେ ପହଞ୍ଚିଥିଲା । ଏହାର ସବୁଠାରୁ ଅଧିକ ପ୍ରଭାବ ଯକୃତ, ଫୁସଫୁସ ଏବଂ ମସ୍ତିଷ୍କ ଉପରେ ପଡୁଛି । ଏହି ପରୀକ୍ଷାରେ ୩୬ଟି ଟିସୁର ସାମ୍ପୁଲ ନିଆଯାଇଥିଲା, ଯାହା ୭ରୁ ୨୦ ସପ୍ତାହ ମଧ୍ୟରେ ଥିଲା । ଗବେଷକଙ୍କ କହିବା ଅନୁସାରେ, ବ୍ଲାକ କାର୍ବନର ଅଂଶ ଗର୍ଭନଳୀର ରକ୍ତରେ ମିଳିବା ସ୍ପଷ୍ଟ କରୁଛି ଯେ ଏହି ଅଂଶ ପ୍ଲାସେଣ୍ଟାର ସୁରକ୍ଷାକୁ ଭେଦ କରିପାରେ । ଏହା ଭୃଣର ବିଭିନ୍ନ ଅଙ୍ଗରେ ମଧ୍ୟ ବିକଶିତ ହେଉଥାଏ । ଯାହା ପରବର୍ତ୍ତୀ ଅବସ୍ଥାରେ ଭୃଣର ମସ୍ତିଷ୍କରେ ପ୍ରବେଶ କରିଥାଏ । ଏହିଭଳି ସ୍ଥିତିରେ ଶିଶୁର ବିଭିନ୍ନ ଏବଂ କୋଷିକାରେ ପ୍ରଭାବ ପଡିଥାଏ ।

ଭାରତରେ ପ୍ରତିବର୍ଷ ବାୟୁ ପ୍ରଦୂଷଣର ସ୍ତର ବଢୁଥିବା ଯୋଗୁ ଏହି ସମସ୍ୟା ବେଶ୍ ଚିନ୍ତାଜନକ । କାରଣ ଏହି ଗବେଷଣା ସ୍କଟଲାଣ୍ଡ ଏବଂ ବେଲଜିୟମର ଗର୍ଭବତୀଙ୍କ ଠାରେ କରାଯାଇଥିଲା ଯେଉଁଠାରେ ବାୟୁ ପ୍ରଦୂଷଣର ସ୍ତର ଅପେକ୍ଷାକୃତ କମଥାଏ । ଯେଉଁ ମହିଳାଙ୍କ ଉପରେ ଏହା କରାଯାଇଥିଲା ସେମାନେ ଧୁମ୍ରପାନ ମଧ୍ୟ କରିନଥାନ୍ତି । ଆଉ ଏହି ତଥ୍ୟ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କେବଳ ଏତିକି ନୁହେଁ ଅନ୍ୟ ଗବେଷଣାରୁ ମଧ୍ୟ ଏଭଳି ତଥ୍ୟ ଆସିଛି । ଜର୍ଣ୍ଣାଲ ଲାନସେଟ ପ୍ଲାନେଟାରୀ ହେଲଥରେ ପ୍ରକାଶିତ ତଥ୍ୟରେ କୁହାଯାଇଛି ଦକ୍ଷିଣ ଏସିଆରେ ୩ ଲକ୍ଷ ୪୯ ହଜାର ୬୮୧ ମହିଳା ବାୟୁ ପ୍ରଦୂଷଣ ଯୋଗୁ ମା ହୋଇ ପାରୁନାହାନ୍ତି । ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତରେ ବାୟୁପ୍ରଦୂଷଣ କାରଣରୁ ପ୍ରତିବର୍ଷ ୧.୨ ଲକ୍ଷ ଶିଶୁ ଏବଂ ୧୭ ଲକ୍ଷ ଲୋକଙ୍କର ଅସମୟରେ ମୃତ୍ୟୁ ହେଉଛି । କେବଳ ଏତିକି ନୁହେଁ  ଏହି ସମସ୍ୟା ଯୋଗୁଁ ପ୍ରତିବର୍ଷ ଦେଶରେ ୩.୫ ଲକ୍ଷ ଶିଶୁ ଆସ୍ଥମାର ଶିକାର ହେଉଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com