ଅନ୍ୟାନ୍ୟ

ଧମକାଇ ଟଙ୍କା ମାଗୁଥିଲେ ୱେବ ପୋର୍ଟାଲର ସାମ୍ବାଦିକ ; କ୍ୟାମେରା, ବୁମ ସହ ୨ ଗିରଫ

ଭୁବନେଶ୍ୱର, ୧୭ /୧୦/୨୦୨୨-   ଦାଦାବଟି ମାଗୁଥିବା ଅଭିଯୋଗରେ ବନ୍ଧା ହେଲେ ଦୁଇ ୱେବ ପୋର୍ଟାଲ ସାମ୍ବାଦିକ । ଭରତପୁର ଥାନା ଅନ୍ତର୍ଗତ ଜେ ଜେ ମ୍ୟାନସନରେ ଗେଷ୍ଟ ହାଉସ ବ୍ୟବସାୟ କରୁଥିବା ରବୀନ୍ଦ୍ର ଖମାରିଙ୍କୁ ଗତ ୧୪ ତାରିଖରେ କିଛି ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଆସି ଟଙ୍କା ମାଗିଥିଲେ । କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ । ପୁନର୍ବାର ୧୫ ତାରିଖରେ ଅଭିଯୁକ୍ତମାନେ ସେମାନଙ୍କର ସହଯୋଗୀଙ୍କ ସହିତ ରବୀନ୍ଦ୍ରଙ୍କ ଗେଷ୍ଟ ହାଉସକୁ ଆସି ଧମକ ଦେବା ସହିତ ତାଙ୍କ ଗେଷ୍ଟ ହାଉସର ଲାଇସେନସ୍ ଦେଖାଇବା ପାଇଁ କହିଥିଲେ । କିନ୍ତୁ ଅଭିଯୋଗକାରୀ ଦେବାକୁ ମନା କରିଦେବାରୁ ସେମାନେ ଏକ ଘରୋଇ ନ୍ୟୁଜ ଚ୍ୟାନେଲର ପରିଚୟ ଦେଇ ୨ ଲକ୍ଷ ଟଙ୍କା ମାଗିଥିଲେ ।

ପୁନର୍ବାର ଅଭିଯୁକ୍ତ ମାନେ କ୍ୟାମେରା ଓ ବୁମରେ ଭିଡିଓ କରିବା ସହିତ ଉକ୍ତ ଭିଡିଓକୁ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ । ଅଭିଯୁକ୍ତମାନେ ଏହି ଭିଡିଓ କରିବା ପୂର୍ବରୁ ଅଭିଯୋଗକାରୀଙ୍କୁ ଭରତପୁର ଥାନାରେ ମାସିକିଆ ୧୫୦୦/- ଟଙ୍କା ଦେଉଥିବାର ମିଛ କହିବା ପାଇଁ ବାଧ୍ୟ କରାଇଥିଲେ କିନ୍ତୁ ଅଭିଯୋଗକାରୀ ଏହି ମିଛ କହିବା ପାଇଁ ମନାକରିଦେଇଥିଲେ। ଏହି ପାଟିତୁଣ୍ଡ ଶୁଣିବା ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ବାହାରକୁ ଆସିଥିଲେ ଏବଂ ଭୟରେ ନିଜର ସୁନା ଗହଣା ୨୦,୦୦୦/- ଟଙ୍କା ନଗଦ ଅଭିଯୁକ୍ତ ମାନଙ୍କୁ ଦେଇଥିଲେ। ଅଭିଯୁକ୍ତମାନେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ଏବଂ ୨ ଘଣ୍ଟା ମଧ୍ୟରେ ୭୦,୦୦୦ ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିବା ଧମକ ଦେବା ସହିତ ଯଦି ସେ ଏନେଇ ଥାନାରେ ଜଣାଇବେ ତେବେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଶେଷରେ ଅଭିଯୋଗକାରୀ କୌଣସି ବିକଳ୍ପ ନପାଇ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଭରତପୁର ଥାନା ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ ଏବଂ ସେମାନଙ୍କ ଠାରୁ ଗୋଟିଏ କାର, ଗୋଟିଏ କ୍ୟାମେରା, ଗୋଟିଏ ବୁମ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ।

ତଦନ୍ତ ସମୟରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ଵୀକାର କରିଥିବାରୁ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରଯାଇଛି । ଚଳିତ ବର୍ଷରେ ଏଯାବତ ସମୁଦାୟ ୧୭୦ ଟି ମାମଲାରେ ମୋଟ ୧୮୪ ଜଣ ଦାଦାବଟି ମାଗି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଭୁବନେଶ୍ୱର ପୁଲିସ ତରଫରୁ ଗଣମାଧ୍ୟମ ଜରିଆରେ ସମସ୍ତ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରାଯାଉଛି ଯେ, ଯଦି କୌଣସି ଅସାମାଜିକ ବ୍ୟକ୍ତି ଦାଦାବଟି ମାଗିବାର ସୂଚନା ଅଛି, ତେବେ ହେଲ୍ପଲାଇନ ନମ୍ବର- ୭୦୭୭୭୯୮୧୧୧ ରେ ତୁରନ୍ତ ସୂଚନା ଦିଅନ୍ତୁ ।  ପରିଚୟ ଗୋପନ ରଖାଯିବ ଓ ଉକ୍ତ ଅସମାଜିକଙ୍କ  ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ ପୋଲିସ ଜନସାଧାରଣଙ୍କୁ ଅପିଲ କରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com