ଅନ୍ୟାନ୍ୟ

ଝାରପଡ଼ା ଜେଲରେ ଖୋଲିବ ରେଡିଓ ଜକି

ଭୁବନେଶ୍ୱର, ୨୪/୧୦/୨୦୨୨-   ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଖୋଲିବ ରେଡିଓ ଜକି । ଏହାଦ୍ୱାରା କଏଦୀଙ୍କ ମନୋରଞ୍ଜନ କରାଯିବା ସହ ସେମାନଙ୍କର ଲୁକ୍କାୟିତ ଗୁଣାବଳୀର ବିକାଶ କରାଯିବ । ବେଙ୍ଗାଲୁରୁ, ହାଇଦ୍ରାବାଦ ଜେଲ ପରି ଓଡ଼ିଶାର ଝାରପଡ଼ା ଜେଲରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ । ଝାରପଡ଼ାରେ ରେଡିଓ ଷ୍ଟେସନ ଖୋଲିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି ।

ଅନୁମତି ମିଳିବା ପରେ ଏବେ ରେଡିଓ ଜକି ଆରମ୍ଭ ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି । ସେ ବାବଦରେ ଏବେ ଏକ୍ସପର୍ଟଙ୍କ ସହିତ ଆଲୋଚନା କରାଯାଇଛି । କେଉଁ ସ୍ଥାନରେ ରେଡିଓ ଜକି ସ୍ଥାପନ ହେବ ସେଥିପାଇଁ ଜାଗା ଚିହ୍ନଟ କରାଯାଉଥିବା ବେଳେ ଖୁବଶୀଘ୍ର ଆବଶ୍ୟକୀୟ ଯନ୍ତ୍ରପାତି କିଣାଯିବ ବୋଲି ଜେଲ ବିଭାଗ ପକ୍ଷରୁ କୁହାଯାଇଛି । ଜଣେ ପୂର୍ବତନ ଜେଲ ଡିଜି ଏନେଇ ପ୍ରୟାସ ଆରମ୍ଭ କରିଥିବା ବେଳେ ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ।

ଜେଲରେ ରେଡିଓ ଜକି ବ୍ୟବସ୍ଥା ଆରମ୍ଭ ହେଲେ ଇଚ୍ଛୁକ କଏଦୀଙ୍କୁ ଏଥିପାଇଁ ନାମ ପଞ୍ଜିକରଣ କରିବାକୁ ପଡ଼ିବ । ସ୍ମାର୍ଟ ଓ ଉତ୍ତମ ସ୍ୱର ଥିବା କଏଦୀଙ୍କୁ ରେଡିଓ ଜକି ଭାବେ ସୁଯୋଗ ଦିଆଯିବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଅନେକ ନିୟମ କାନୁନ ରହିଥିବାରୁ ଏହା କେନ୍ଦ୍ର ସରକାରଙ୍କ ନିକଟରେ ଅଟକି ରହିଥିଲା । ଏନେଇ ରାଜ୍ୟ ଜେଲ ବିଭାଗ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟକୁ ଚିଠି ଲେଖି ଅନୁମତି ମାଗିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com