ଅନ୍ୟାନ୍ୟ

କେମିତି ଯୁଦ୍ଧ ଜିତିବ ଋଷ ? ସରିଗଲାଣି ଅସ୍ତ୍ରଶସ୍ତ୍ର, ମିଳୁନି ନୂଆ ସାମରିକ ଉପକରଣ

କିଏଭ : ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷ ପାଖରେ ଏବେ ଅସ୍ତ୍ରଶସ୍ତ୍ରର ଘୋର ଅଭାବ ଦେଖାଦେଇଛି । ଯୁଦ୍ଧ ଯୋଗୁ ରୁଷକୁ କୌଣସି ପ୍ରକାର ନୂଆ ଅସ୍ତ୍ର କିମ୍ବା ସାମରିକ ଉପକରଣ ଆଉ ମିଳୁନାହିଁ । ଯାହାଫଳରେ ରୁଷ ସୈନ୍ୟମାନେ କିଏଭ୍‌ ସମେତ ଏହାର ଆଖପାଖ ଅଞ୍ଚଳର ଅନେକ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । ପ୍ରାୟ ୨୫ ମାଇଲ ପରିମିତ ଅଞ୍ଚଳରେ ଥିବା ୩୦ଟି ସହରକୁ ଏବେ ୟୁକ୍ରେନ ସେନା ପୁନଃଦଖଲକୁ ନେଇଛନ୍ତି । କିଛିଦିନ ତଳେ ସେସବୁ ରୁଷ ସେନା ନିୟନ୍ତ୍ରଣରେ ରହିଥିଲା । ହୋଷ୍ଟୋମେଲ, ବୁଚା, ଚର୍ନିହିବ ଓ ଚେର୍ଣ୍ଣୋବିଲ୍‌ ଭଳି ସହର ଛାଡି ରୁଷ ସେନା ଟ୍ୟାଙ୍କ ଓ ସାମରିକ ଯାନ ସହ ବେଲାରୁଷ ସୀମା ଦିଗରେ ପଳାଇବାରେ ଲାଗିଛନ୍ତି ।
ରୁଷର ସାମରିକ ଉପକରଣ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ୟୁକ୍ରେନ ଯୋଗାଇଥାଏ । ସେଥିମଧ୍ୟରେ କ୍ରୁଜ ମିସାଇଲ, ସାମରିକ ହେଲିକପ୍ଟର ଓ ଜେଟ୍‌ ଇଞ୍ଜିନର ସ୍ପେୟାର ପାର୍ଟସ ଆଦି ରହିଛି । ସେହିଭଳି ରୁଷ ଟ୍ୟାଙ୍କର ଫାୟାର କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ୟୁକ୍ରେନ ପ୍ରସ୍ତୁତ କରିଥାଏ । ଯୁଦ୍ଧ ଯୋଗୁ ରୁଷକୁ ଏସବୁ ସାମଗ୍ରୀ ମିଳୁନାହିଁ । ତା’ଛଡା ପାଶ୍ଚାତ୍ୟ ରାଷ୍ଟ୍ରର ବାସନ୍ଦ ଯୋଗୁ ଅନ୍ୟ ରାଷ୍ଟ୍ରରୁ ମଧ୍ୟ ଆଣିବା ସମ୍ଭବ ହେଉନାହିଁ । ଫଳରେ ରୁଷର ଅନେକ ମିସାଇଲ, ଜେଟ୍‌, ହେଲିକପ୍ଟର ଓ ଟ୍ୟାଙ୍କ ଏବେ ଅକାମୀ ହୋଇପଡିରହିଛି ।
ଫେବ୍ରୁଆରୀ ୨୪ ଆକ୍ରମଣ ପରଠାରୁ ରୁଷ ଏପର୍ଯ୍ୟନ୍ତ ୧୪୩ ଯୁଦ୍ଧବିମାନ, ୧୩୧ ସାମରିକ ହେଲିକପ୍ଟର, ୬୨୫ ଟ୍ୟାଙ୍କ ଓ ୩୧୬ ଆର୍ଟିଲେରୀ ହରାଇସାରିଛି । ସେହିଭଳି ୟୁକ୍ରେନ ଉପରେ ରୁଷ ପ୍ରାୟ ୧୧୦୦ ମିସାଇଲ ମାଡ଼ କରିଛି । ରୁଷର କ୍ରୁଜ ମିସାଇଲ ୟୁକ୍ରେନର ଦ୍ୱିତୀୟ ସର୍ବବୃହତ ସହର ଖାରକିଭ୍‌ରେ ତିଆରି ହେଉଥିଲା । ମାତ୍ର ରୁଷର ବୋମାମାଡ଼ ଯୋଗୁ ଏହି ସହର ଛାରଖାର ହୋଇଯାଇଛି । ସେହିଭଳି ରୁଷର ଟି-୭୨ ଟ୍ୟାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ୟୁକ୍ରେନର ଇଜିଉମ ସହରରେ ନିର୍ମାଣ କରାଯାଉଥିଲା । ସେହି ସହର ମଧ୍ୟ ଯୁଦ୍ଧରେ ନଷ୍ଟ ହୋଇଯାଇଛି । ରୁଷର ଆଣବିକ କାର୍ଯ୍ୟକ୍ରମକୁ ମଧ୍ୟ ଝଟ୍‌କା ଲାଗିଛି । କାରଣ ରୁଷର ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଅଧା ଯନ୍ତ୍ରାଂଶ ହିଁ ୟୁକ୍ରେନ ଯୋଗାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com