ବିଜ୍ଞାନ ଓ ପ୍ରଯୁକ୍ତି

ପଦ୍ମପୁର ଉପନିର୍ବାଚନ ଡିସେମ୍ବର ୫ ରେ

ଭୁବନେଶ୍ୱର, ୦୫/୧୧/୨୦୨୨ –   ପଦ୍ମପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ସହ ଟିକେଟ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଏଥିନେଇ ୩ ପ୍ରମୁଖ ରାଜନୈତିକ ଦଳର ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ନିଜ ପାଇଁ ଟିକେଟ ସୁନିଶ୍ଚିନ୍ତ କରିବାକୁ ଆଶାୟୀମାନେ ପାରୁ ପର୍ଯ୍ୟନ୍ତ ଉଦ୍ୟମ ସହ ଦଳର ପ୍ରମୁଖ କାର୍ପେଟଦାରଙ୍କ ପାଖରେ ଲବି ଆରମ୍ଭ କରି ଦେଇଛନ୍ତି । ନିଜ ନିଜର ଜଣାଶୁଣା ବଡ ନେତାଙ୍କ ଜରିଆରେ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣରେ ଆଶାୟୀ ଲାଗି ପଡିଛନ୍ତି । ଏଥିନେଇ ରାଜଧାନୀ ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ଘରେ ଆଶାୟୀ ସମର୍ଥକଙ୍କ ଗହଣରେ ଭିଡ ଜମାଇଲେଣି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପ ନିର୍ବାଚନକୁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ଲୋକପ୍ରିୟତା ପ୍ରମାଣର ଶେଷ ସୁଯୋଗ ଧରି ନେଇଛନ୍ତି । ସିଧାସଳଖ ଭାବେ କହିବାକୁ ଗଲେ ଏଠି ଉପନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ଏକ ଶେଷ ପରୀକ୍ଷାର ବେଳ । ଏଣୁ ଏହାକୁ ୩ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଖାସ୍ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରି ସେହି ମତେ ରଣ କୌଶଳ ପ୍ରସ୍ତୁତ କରୁଛନ୍ତି । । ଏଭଳି ସ୍ଥିତି ଉପଯୁକ୍ତ ପ୍ରାର୍ଥୀ ଚୟନ ଏକ ବଡ ଆହ୍ୱାନ । ଏଣୁ ହାଇକମାଣ୍ଡ ମଧ୍ୟ ଏନେଇ ସବୁ ଦିଗକୁ ବିଚାର କରିବା ନିଶ୍ଚିନ୍ତ । ଶାସକ ବିଜେଡିର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ସୃଷ୍ଟି ଶୂନ୍ୟସ୍ଥାନରୁ ପଦ୍ମପୁର ଉପନିର୍ବାଚନ ହେଉଛି । ଏଣୁ ଦିବଂଗତ ବିଧାୟକଙ୍କ ପରିବାରରୁ କାହାକୁ ଟିକେଟ ଦେବା ବିଜେଡିର ପ୍ରଥମ ପ୍ରୟାସ ହେବ ।

ବରଂ ଅନୁକମ୍ପା ଭୋଟ୍ ଅଧିକ ମିଳିବା ସମ୍ଭାବନା ଦୃଷ୍ଟିରୁ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ ତିଳୋତ୍ତମାଙ୍କୁ ଟିକେଟ ଦେବାକୁ ବିଜେଡି ଉଦ୍ୟମ ଜାରି ରଖିଛି । ଅସୁସ୍ଥ ବାପାଙ୍କ ଅନୁପସ୍ଥିତିରେ ଯଦିଓ ପୁଅ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ସକ୍ରିୟ ଥିଲେ ତେବେ ବୟସ ଏଠି ପ୍ରତିବନ୍ଧକ ସାଜିଛି । ସ୍ୱର୍ଗତ ବରିହାଙ୍କ ପରିବାର ଛଡା ବିଜେଡିରୁ ଟିକେଟ ପାଇଁ ଅନେକ ଆଶାୟୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶୁଶାନ୍ତ ସିଂ ଙ୍କ ଭାଇ ସୁବ୍ରତ ସିଂ , ମହେନ୍ଦ୍ର ମଢେଇ, ଚାଷୀ ମୁଲିଆ ସଂଘର ଅସିତ୍ ଶତପଥୀଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି । ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦୌଡରେ ଆଗରେ ଅଛନ୍ତି ।

ଏହାଛଡା ରାଜେନ୍ଦ୍ର ଘିଘେଲା ଏବଂ ଗୋବର୍ଦ୍ଧନ ଭୋଇ ଟିକେଟ ପାଇଁ ଆଶାୟୀ ଅଛନ୍ତି । କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ସତ୍ୟ ଭୂଷଣ ସାହୁ ଆଗରେ ଥିଲେବି ସେ ଅନିଚ୍ଛା ପ୍ରକାଶ କରୁଥିବା ଜଣା ପଡିଛି । ଏଣୁ ସନ୍ତୋଷ ଶତପଥୀ ତଥା ତାଙ୍କ ସମର୍ଥକଙ୍କ ମଧ୍ୟରେ ଟିକେଟ ପାଇଁ ତତ୍ପରତା ପ୍ରକାଶ ପାଇଛି । ଏହାଛଡା ପ୍ରତାପ ଶତପଥୀଙ୍କ ନାମ ମଧ୍ୟ ଶୁଣାଯାଉଛି । ବଡ କଥା ହେଉଛି କିଛି କାରଣରୁ ଚାଷୀ ମୁଲିଆ ସଂଘରୁ ପ୍ରାୟ ୫୦ ରୁ ୬୦ ସ୍ୱାଧୀନ ଭାବେ ଲଢିବାକୁ ଯୋଜନା ଚଳାଇଥିବା ଚର୍ଚ୍ଚା ହେଉଛି । ପଦ୍ମପୁର ଉପନିର୍ବାଚନ ଆସନ୍ତା ଡିସେମ୍ବର ୫ ରେ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com