ବିଜ୍ଞାନ ଓ ପ୍ରଯୁକ୍ତି

ଦୃଶ୍ୟମାନ ହେଲା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ଖାଦ୍ୟ ଗ୍ରହଣକୁ ନେଇ ପରମ୍ପରାବାଦୀ ଏବଂ ହେତୁବାଦୀ ମୁହାଁମୁହିଁ

ଭୁବନେଶ୍ୱର, ୦୮/୧୧/୨୦୨୨ –   ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ ମଙ୍ଗଳବାର ଶେଷ ହୋଇଛି । ଏଥିପାଇଁ ଆଜି ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଥିଲା । ଭାରତର ଉତ୍ତରପୂର୍ବ ରାଜ୍ୟ ସମେତ ଓଡିଶା, ପଶ୍ଚିମବଙ୍ଗ, ବିହାର, ଏବଂ ଝାଡଖଣ୍ଡ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖା ଯାଇଥିଲା । ଅପରାହ୍ଣ ୨ଟା ୩୮ରେ ଗ୍ରହଣ ସ୍ପର୍ଶ ହୋଇ ଓ ୬ଟା ୧୯ରେ ସର୍ବମୋକ୍ଷ ହୋଇଛି । ଗ୍ରହଣର ଅବଧି ୫ଘଣ୍ଟା ୫୪ମିନିଟ୍ ରହିଥିଲା ବେଳେ ୧ଘଣ୍ଟା ୨୫ମିନିଟ୍ ପାଇଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା ଓଡ଼ିଶାରେ ପୂର୍ଣ୍ଣ ଗ୍ରହଣ ଅପରାହ୍ଣ ୫ଟା ୫ରୁ ୫ଟା ୧୧ ଯାଏଁ ମାତ୍ର ୬ ମିନିଟ୍ ପାଇଁ ଦେଖିବାକୁ ମିଳିଥିଲା । ଗ୍ରହଣ ପାଇଁ ପଠାଣୀ ସାମନ୍ତ ପ୍ଲାନେଟାରିଅମରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିଲା ।

ସେପଟେ ଗ୍ରହଣକୁ ନେଇ ଶ୍ରୀମନ୍ଦିରରେ ରାତ୍ର ୧୨ଟା ୮ରୁ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ସହିତ ଭିତର ଶୋଧ, ମଙ୍ଗଳ ଆଳତୀ, ଅବକାଶ ନୀତି ସାରି ଶ୍ରୀଜିଉଙ୍କୁ ସୁନାବେଶରେ ଭୂଷିତ କରାଯାଇଥିଲା । ବେଶ ପରେ ଗୋପାଳ ବଲ୍ଲ, ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଥିଲା । ଅନ୍ୟପକ୍ଷରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ନୀତି ଅନୁସାରେ ଶ୍ରୀଜିଉଙ୍କ ଦେବନୀତି ଆରମ୍ଭ କରା ଯାଇ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ଆଦି ସମ୍ପାଦିତ ହୋଇଛି । ସୂର୍ଯ୍ୟ ପରାଗ ଦିନ ଭଳି ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହୀଁ ହୋଇଥିଲେ ।

ଭୁବନେଶ୍ୱରରେ ଲୋହିଆ ଏକାଡେମୀରେ ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ଓ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ତୀବ୍ର ବିରୋଧ କରିବା ସହ ଭଙ୍ଗାରୁଜା କରିଛନ୍ତି । ଟେକା ପଥର ମାରିଛନ୍ତି ପରମ୍ପରାବାଦୀ । ଢେଲାପଥର ମାଡ଼ରେ ହେତୁବାଦୀ ଗୋଷ୍ଠୀର କିଛି ସଦସ୍ୟ ଆହତ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଠେଲା ପେଲା ସହ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଛି । ସେହିଭଳି ବ୍ରହ୍ମପୁରରେ ହେତୁବାଦୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ହେତୁବାଦୀଙ୍କ ଖାଦ୍ୟ ସେବନସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବ୍ରାହ୍ମଣ ସମାଜ । ଟେଣ୍ଟ ଭାଙ୍ଗିବା ସହ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଫଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଲାଠିଚାର୍ଜ କରିଥଲା । ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ହେତୁବାଦୀଙ୍କୁ ଘଟଣାସ୍ଥଳରୁ ନେଇ ନିଜ ନିଜ ଘରକୁ ପଠାଇବା ପରେ ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆସିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com